କରୋନା ଉଜାଡ଼ି ଦେଇଛି ବେଉସା : ଭୋକ ଉପାସରେ ଦିନ କାଟୁଛନ୍ତି କୁମ୍ଭକାର ପରିବାର ବିକ୍ରି ହୋଇପାରୁନି ମାଟି ନିର୍ମିତ ସାମଗ୍ରୀ, ସରକାରୀ ସହାୟତା ଦାବି

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ହିଞ୍ଜିଳିକାଟୁ :-  କୁମ୍ଭକାର ମାନେ ବର୍ଷସାରା ପରିଶ୍ରମ କରି ନିଜର ପାରମ୍ପରିକ ବୃତିକୁ ବଜାୟ ରଖି ମାଟି ତିଆରି ବିଭିନ୍ନ ସରଞ୍ଜାମ ତିଆରି କରି ବିକିଥାନ୍ତି । ଏଥିରୁ ଯାହା କିଛି ଉପାର୍ଜନ ହୁଏ, ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି । ମାଟି ନିର୍ମିତ ସାମଗ୍ରୀ ଯଥା ମାଟିହାଣ୍ଡି ଠାରୁ ଆରମ୍ଭ କରି ଦୀପ, କୁମ୍ଭ, ଖାଦ୍ୟ ପଦାର୍ଥ ରାନ୍ଧିବା ପାତ୍ର ସମେତ ଅନ୍ୟାନ ଉପକରଣର ଚାହିଦା ସଦା ସର୍ବଦା ରହି ଆସିଛି । ପ୍ରତେକ ଶୁଭ କାର୍ଯ୍ୟ ଠାରୁ ଆରମ୍ଭ କରି ଅନ୍ୟାନ କାର୍ଯ୍ୟରେ ଏହାର ବ୍ୟବହାର କରାଯାଇଥାଏ । ବିଭିନ୍ନ ସମୟରେ କୁମ୍ଭକାର ପରିବାରର ସଦସ୍ୟ ମାନେ ବିଭିନ୍ନ ଗଁ ଗାଁ ବୁଲି ନିଜ ନିଜର ବେପାର ବଣିଜ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଗ୍ରୀଷ୍ମ ଋତୁରେ ମାଟିପାତ୍ରର ଚାହିଦା ଢେର ଅଧିକ । ଏହି ଋତୁରେ ବହୁ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡ଼ିକ ମାଟି ହାଣ୍ଡି କିଣି ବିଭିନ୍ନ ଛକ ସ୍ଥାନରେ ଜଳ ରଖି ପଥିକ ମାନଙ୍କୁ ଯୋଗାଇଥାନ୍ତି ।

ମାତ୍ର ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ସରକାର ଲକଡ଼ାଉନ ଘୋଷଣା କରିଛନ୍ତି । ଫଳରେ ହାଟ ବଜାର ବନ୍ଦ ରହିଛି । ହାଟ ବଜାର ବନ୍ଦ ରହିଥିବାରୁ କୁମ୍ଭକାର ମାନେ ସେମାନଙ୍କର ଜୀବିକା ହରାଇ ବସିଛନ୍ତି । କୁମ୍ଭକାର ମାନେ ନିର୍ମାଣ କରି ଘରେ ସାଇତି ରଖିଥିବା ବିଭିନ୍ନ ମାଟି ତିଆରି ଉପକରଣ ବିକ୍ରି ହୋଇ ପାରିନାହିଁ । ହିଂଜିଳିକାଟୁ ବ୍ଳକ ବୁରୁପୋଡ଼ା, ବେଲଗାଁ, ସିକିରି, ରାଳବ, ଆଲପୁର, ଖରିଡ଼ା, ପିତଳ, ଚନ୍ଦୁଲି ପ୍ରଭୃତି ଅଂଚଳର କୁମ୍ଭକାର ପରିବାର ମାନେ ନିଜର ଉିତ୍ପାଦିତ ସାମଗ୍ରୀ ବିକ୍ରି କରିନପାରି ଭୋକ ଉପାସରେ ଦିନ କାଟୁଛନ୍ତି । କରୋନା ସେମାନଙ୍କ ଜୀବନ ଜୀବିକା ଉଜାଡ଼ି ଦେଇଛି ବୋଲତ୍ସ୍‌ାନୀୟ ଅଂଚଳର ବହୁ କୁମ୍ଭକାର ପରିବାର କହିଛନ୍ତି । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ବହୁ କୁମ୍ଭକାର ପରିବାର ନିବେଦନ କରିଛନ୍ତି ।  ( ରିପୋର୍ଟ: ଶୁସାନ୍ତ ପ୍ରଧାନ )