ବିଜୁବାବୁ କୋଟି କୋଟି ଓଡିଆଙ୍କ ହୃଦୟର ନେତା ।

ଜୟଦେବ ଭବନରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ

ଜୟଦେବ ଭବନରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର ତା-୫.୩.୨୦୨୦ :- ବିଜୁବାବୁଙ୍କ ଜୀବନ ଥିଲା ଏକ ସଂଗ୍ରାମୀ ଜୀବନ । ସଂଗ୍ରାମ ହିଁ ଥିଲା ତାଙ୍କ ଜୀବନର ସବୁଠୁ ବଡ ପରିଚୟ । ସେ କ୍ଷମତାରେ ବେଶି ଦିନ ନଥିଲେ । କିନ୍ତୁ ସବୁବେଳେ ଲୋକଙ୍କ ସାଥିରେ ଥିଲେ । ଓଡିଶା ଓ ଓଡିଆ ସବୁଥିରେ ଆଗରେ ରହିବ । ଏହି ଲକ୍ଷ୍ୟ ନେଇ ବିଜୁବାବୁ କାମ କରୁଥିଲେ । ବିଜୁବାବୁଙ୍କ ଆଦର୍ଶ ଓ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ କାମ କରିଚାଲିଛୁ । ଓଡିଆ ଜାତିପାଇଁ ତାଙ୍କର ତ୍ୟାଗ ଓ ସାଧାରଣ ଲୋକଙ୍କ ପାଇଁ ତାଙ୍କର ଦରଦ ଯୋଗୁଁ ସେ ଆଜି କୋଟି କୋଟି ଓଡିଆଙ୍କ ହୃଦୟର ନେତା ହୋଇରହିଛନ୍ତି ବୋଲି ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କର ୧୦୪ ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ, ଓଡିଶାବାସୀଙ୍କ ଆଶୀର୍ବାଦରେ ଆଜି ଆମ ସରକାର ୨୦ ବର୍ଷ ପୂର୍ଣ୍ଣ କଲା । ଲୋକଙ୍କ ସ୍ୱାର୍ଥ ଓ ହକ୍‌କୁ ଆମେ ସବୁବେଳେ ଆଗରେ ରଖିଛୁ । ସାଧାରଣ ଲୋକହିଁ ଆମ ପାଇଁ ଶ୍ରେଷ୍ଠ । ବିଜୁବାବୁ ତାଙ୍କ ସମୟଠାରୁ ବହୁ ଆଗରେ ଥିଲେ । ସେ ଚାହୁଁଥିଲେ ବ୍ୟବସ୍ଥାର ଦୃତ ପରିବର୍ତନ । ଲୋକଙ୍କ ଅବସ୍ଥାରେ ପରିବର୍ତନ । ଆମର ୫ଟି କାର୍ଯ୍ୟକ୍ରମ ହେଉଛି ବିଜୁବାବୁଙ୍କ ଚିନ୍ତାଧାରା ପ୍ରତିଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଆମର ମୋ ସରକାର କାର୍ଯ୍ୟକ୍ରମ ହିଁ ଲୋକଙ୍କୁ ମାଲିକ କରିପାରିଛି ଏବଂ ବିଜୁ ବାବୁଙ୍କ ଭାଷାରେ ଗଣତନ୍ତ୍ରରେ ଲୋକମାନେ ହିଁ ସର୍ବାଗ୍ରେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୀବନୀ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଯେ, ବିଜୁବାବୁ ଏକାଧାରରେ ଜଣେ ସୁଦକ୍ଷ ପାଇଲଟ୍‌, ସ୍ୱାଧୀନତା ସଂଗ୍ରାମୀ, ରାଜନୈତିଜ୍ଞ, ରାଷ୍ଟ୍ରନାୟକ , ଜନନାୟକ ଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଅତୁଳନୀୟ ଅବଦାନ ତାଙ୍କୁ ଯୁଗ ଯୁଗ ଧରି ମନେ ରଖିଥିବ । ବିଜୁବାବୁଙ୍କ ଏକ ଉକ୍ତି ଥିଲା , “ମୁଁ ଯଦି ସମଗ୍ର ପୃଥିବୀ ଉପରେ ଦୃଷ୍ଟିପାତ କରେ , ପ୍ରକୃତି କେଉଁ ଦେଶକୁ ଶ୍ରେଷ୍ଠରୂପେ ଗଢିଛି ବୋଲି ଅନୁଧ୍ୟାନ କରେ, ମୁଁ ଆଙ୍ଗୁଠି ନିର୍ଦ୍ଦେଶ କରି ଦେଖାଇବି…ଭାରତବର୍ଷକୁ ।

ମୁଁ ଚାହେଁ, ଏହି ଉକ୍ତି ଓଡିଶା ପାଇଁ ପ୍ରଯୁଜ୍ୟ ହେଉ ।” ଓଡିଶାକୁ ବିଶ୍ୱର ଏକ ନମ୍ବର ରାଜ୍ୟରେ ପରିଣତ କରିପାରିଲେ ତାହାହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ଓଡିଶାରେ ଶିଳ୍ପର ଅଭିବୃଦ୍ଧି, ପାରାଦୀପ ବନ୍ଦର ପ୍ରତିଷ୍ଠା , ମିଗ୍ କାରଖାନା , ମହିଳାଙ୍କ ସଶକ୍ତିକରଣ, ପଂଚାୟତିରାଜ ବ୍ୟବସ୍ଥା ଆଦି ବିଜୁବାବୁଙ୍କର ବଳିଷ୍ଠ ଅବଦାନକୁ ରାଜ୍ୟବାସୀ ଭୁଲି ପାରିବେ ନାହିଁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ଶ୍ରୀ ଅନନ୍ତ ନାରାୟଣ ଜେନା, ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡଃ. ଲେନିନ୍ ମହାନ୍ତି ପ୍ରମୁଖ ଯେଗଦେଇ ବିଜୁବାବୁଙ୍କ ସଂଗ୍ରୀମୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ସ୍ୱାଗତ ଭାଷଣ ଦେଇ ବିଜୁବାବୁଙ୍କୁ ବିଂଶ ଶତାବ୍ଦୀର ବିସ୍ମୟ ବୋଲି ଅଭିହିତ କରିଥିଲେ । ଏହି ଅବସରରେ ବିଜୁ ବାବୁଙ୍କର ଜୀବନୀ ଉପରେ ପର୍ଯ୍ୟବସିତ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାକୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଉନ୍ନୋଚନ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ଶ୍ରୀମତୀ ଦିପ୍ତୀମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ, ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା । ଏହି ସମାବେଶରେ ବହୁ ସଂଖ୍ୟାରେ ବିଜୁପ୍ରେମୀ ଜନସାଧାରଣ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ ଯୋଗଦେଇଥିଲେ ।