ପାରାଦୀପରେ ଏବେ ପଚା ଚିଙ୍ଗୁଡ଼ି ମୁଣ୍ଡ କାରବାର ବଢିବାରେ ଲାଗିଛି

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ପାରାଦୀପ :- ଚମକେଇଦେବା ଭଳି ତଥ୍ୟ ହେଲା କୁକୁଡ଼ା ଦାନା ତିଆରି ପାଇଁ ରାଜ୍ୟ ବାହାରକୁ ଟନ୍‌ ଟନ୍‌ ପରିମାଣରେ ଯାଉଥିବା ଏହି ଚିଙ୍ଗୁଡ଼ି ଖୋଳପା ଆଉ ମୁଣ୍ଡରେ ମିଶୁଛି ବିଷାକ୍ତ କୀଟନାଶକ । ତେଣୁ ଏଥିରୁ ଯେଉଁ ଦାନା ପ୍ରସ୍ତୁତ ହେବ ସେଗୁଡ଼ିକ ଖାଇଲେ ବିଷ ସିଧା କୁକୁଡ଼ା ଠୁ ମଣିଷ ଦେହକୁ ଆସିବ ସେଥିରେ ସନ୍ଦେହ ନାହିଁ । ହେଲେ ପରିବେଶ ଓ ଜଙ୍ଗଲକୁ ଦୂଷିତ କରୁଥିବା ଏହି କାରବାର ପାରାଦୀପ ସହର ଉପକଣ୍ଠ କଂସାରିପାଟିଆ ଜଙ୍ଗଲରେ ଚାଲିଥିବା ବେଳେ ଏ ନେଇ ପ୍ରଦୂଷଣ ବିଭାଗକୁ ଖବର ଦେବା ପରେ ମଧ୍ୟ ବିଭାଗ ଚୁପ୍‌ ହୋଇ ବସିଛି ।

ଏଭଳି ବେଆଇନ୍‌ କାରବାର ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ କିଛି ଅଧିକାରୀଙ୍କୁ ହାତବାରିସି କରି ଏହା ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ । ପାରାଦୀପ ଉପକଣ୍ଠ କଂସାରିପାଟିଆ ଜଙ୍ଗଲ ଶେଷମୁଣ୍ଡରେ ଚାଲିଛି ପଚା ଚିଙ୍ଗୁଡ଼ି ମୁଣ୍ଡ ଆଉ ଖୋଳପାର ବେପାର । ଟନ୍‌ଟନ୍‌ ପରିମାଣରେ ପଚା ଚିଙ୍ଗୁଡ଼ି ମୁଣ୍ଡ ଆଉ ଖୋଳପା ଏଠାରେ ବର୍ଷ ତମାମ୍‌ ଗଦା ହୋଇ ରହୁଛି । ଏପରିକି ଏ ସବୁରେ ମାରାତ୍ମକ କୀଟନାଶକ ମିଶାଯାଉଥିବା ଭଳି ସଂଘାତିକ କଥା ସାମ୍ନାକୁ ଆସିଛି । ଏହି ଚିଙ୍ଗୁଡ଼ି ମୁଣ୍ଡ ଆଉ ଖୋଳପା ଗୁଡ଼ିକ ରାଜ୍ୟ ବାହାରକୁ ପଠାଯାଉଛି । ଚିଙ୍ଗୁଡ଼ି ମୁଣ୍ଡରୁ ସେଠାକାର କାରଖାନାରେ ତିଆରି ହେଉଛି କୁକୁଡ଼ା ଖାଉଥିବା ଦାନା । ହେଲେ ସେହି ଚିଙ୍ଗୁଡ଼ି ମୁଣ୍ଡକୁ କଂସାରିପାଟିଆରେ ଖରାରେ ଶୁଖା ଯାଉଥିବା ବେଳେ ପୋକ ନଲାଗିବା ପାଇଁ ସେଥିରେ ନୁବାନ୍‌ ନାମକ ମାରାତ୍ମକ ବିଷ ମିଶାଯାଉଛି ।

କୁକୁଡ଼ା ଦାନା ଉତ୍ପାଦନ ପରେ ମଧ୍ୟ ବିଷର ମାତ୍ରା ନିଶ୍ଚୟ ଭାବେ ସେଥିରେ ରହୁଥିବା ଆଶଙ୍କା ବୃଦ୍ଧି ପାଇଛି । ଏଭଳି ମାରାତ୍ମକ ପୋକମରା ମିଶାଇ ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ସୁଦ୍ଧା ଏଥିପ୍ରତି କାହାର ନଜର ପଡ଼ୁନଥିବା ପରିତାପର ବିଷୟ । ଏପରିକି ଚିଙ୍ଗୁଡ଼ି ମୁଣ୍ଡ ରଖାଯାଉଥିବା ଅଞ୍ଚଳରେ ଏତେ ପଚା ପନ୍ଧ ହେଉଛି ଯେ ସେହି ବାଟ ଦେଇ ଲୋକେ ଯିବା ମୁସ୍କିଲ ହୋଇପଡ଼ୁଛି । ଏପରିକି ସ୍ଥାନୀୟ ଅଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରିକୁ ଦୂଷିତ କରିବା ସହ ଜଙ୍ଗଲରେ ଥିବା ବନ୍ୟ ଜନ୍ତୁ ଓ ପକ୍ଷୀଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଏନେଇ ପ୍ରଦୂଷଣ ବିଭାଗକୁ ଅଭିଯୋଗ କରିବା ପରେ ତତ୍କାଳୀନ ଅଧିକାରୀ ଚିଙ୍ଗୁଡ଼ି ମୁଣ୍ଡ ଯୋଗଉଥିବା ପ୍ରୋସେସିଂ ପ୍ଲାଣ୍ଟ ଗୁଡ଼ିକୁ ନୋଟିସ୍‌ କରିଥିଲେ ।

ଚିଙ୍ଗୁଡ଼ି ମୁଣ୍ଡ ଆଉ ଖୋଳପାକୁ କାହାରିକୁ ନଦେବାକୁ ବାରଣ ମଧ୍ୟ କରିଥିଲେ । ହେଲେ ତାଙ୍କର ବଦଳି ପରେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଲା । ଏବେର ଅଧିକାରୀ ଏନେଇ କାନ ଝାଡ଼ୁନଥିବା ଦେଖିବାକୁ ମିଳୁଛି । ପରିବେଶକୁ ପ୍ରବଳ ମାତ୍ରରେ କ୍ଷତି ପହଞ୍ଚାଉଥିବା ଏହି ପଚା ଚିଙ୍ଗୁଡ଼ି ମୁଣ୍ଡର ବେଆଇନ୍‌ କାରବାର ଉପରେ କେହି ରୋକ ଲଗାଇବା ଉପରେ ଚିନ୍ତା ବି କରୁନାହାନ୍ତି । ଏନେଇ ପ୍ରଶାସନ, ପ୍ରଦୂଷଣ ବିଭାଗ, ପୁଲିସ ସମସ୍ତଙ୍କ ପାଖରେ ଖବର ଥିବା ସତ୍ତେ୍ୱ ସମସ୍ତେ ଏହି ବେଆଇନ୍‌ ବ୍ୟବସାୟ ବିରୋଧରେ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବା ପରିତାପର ବିଷୟ ।