ଜୁନ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ, ଏହି ଆଧାରରେ ଛାତ୍ର-ଛାତ୍ରୀଙ୍କୁ ମିଳିବ ମାର୍କ

ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ମେ , ଶନିବାର ) ନୂଆଦିଲ୍ଲୀ  :- କରୋନା ମହାମାରୀର ଦ୍ଵିତୀୟ ଲହର କାରଣରୁ ବାତିଲ୍ ହୋଇଥିବା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡ୍‌ଲାଇନ୍ ଜାରି ହୋଇଛି। ଜୁନ ୩ୟ ସପ୍ତାହ ସୁଦ୍ଧା ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସିବିଏସଇ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଏ ନେଇ ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସ୍କୁଲର ପ୍ରିନ୍ସପାଲ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଗଠନ ହେବ କମିଟି। ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର ଏବଂ ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ। ଇଣ୍ଟରନାଲ ଓ କ୍ଲାସ୍ ପରୀକ୍ଷା ଆଧାରରେ ଫଳ ନିର୍ଦ୍ଧାରଣ ହେବ। ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାଙ୍କନ ହେବାକୁ ଥିବା ବେଳେ ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ହେବ।

ସିବିଏସଇର ନୋଟିସ୍ ଅନୁଯାୟୀ ଜୁନ ୫ ସୁଦ୍ଧା ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବାକୁ ଥିବା ବେଳେ ଜୁନ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୁଲ୍ୟାୟନ ତାଲିକା ପଠାଯିବ। ମୂଲ୍ୟାୟନ ବେଳେ ସ୍କୁଲର ପୂର୍ବ ୩ ବର୍ଷର ଫଳାଫଳକୁ ବିଚାରକୁ ନିଆଯିବ। ଏହି ପ୍ରକ୍ରିୟା ପୂରା ହେବା ପରେ ଜୁନ ତୃତୀୟ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ଉଲ୍ଲେଖଯୋଗ୍ୟ, କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ଦ୍ଵାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି।(ଲାଲା ଅନନ୍ତ କୁମାର ସିଂହ )