ମନ୍ତ୍ରୀ ଙ୍କ ନାଁରେ ଫେକ ଆକାଉଣ୍ଟ ; ଦଶମ ଶ୍ରେଣୀ ପରୀକ୍ଷା ହେବ ବୋଲି ମିଥ୍ୟା ଖବର ପ୍ରସାର

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର ) ଭୁବନେଶ୍ୱର :- ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ମିଥ୍ୟା ଟୁଇଟ କରି କେହି ଜଣେ ଆସନ୍ତା ଜୁନ ୧୪ ତାରିଖରେ ଦଶମ ଶ୍ରେଣୀ ପରୀକ୍ଷା ହେବ ବୋଲି ସୂଚନା ଦେଇଥିଲେ । ଯାହା ମିଥ୍ୟା ବୋଲି ଗଣଶିକ୍ଷା ମନ୍ତ୍ରୀ ଟୁଇଟ କରି ସୂଚନା ଦେଇଛନ୍ତି । ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ଜୁନ୍ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସଂପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ଉକ୍ତ ବ୍ୟକ୍ତି ଜଣଙ୍କ ଆଜି ବୈଠକରେ ନିଷ୍ପତ୍ତି ପରେ ଜୁନ ୧୪ ତାରିଖରେ ଦଶମ ଶ୍ରେଣୀ ପରୀକ୍ଷା ହେବ ବୋଲି ମନ୍ତ୍ରୀଙ୍କ ଫେକ୍ ଟୁଇଟର ଆଇଡିରୁ ଟୁଇଟ କରିଥିଲେ । କେହି ଜଣେ ମନ୍ତ୍ରୀଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଏଭଳି ମିଥ୍ୟା ଖବର ପ୍ରସାର କରିଛନ୍ତିି ଏସବୁରୁ ଦୂରେଇ ରହିବାକୁ ମନ୍ତ୍ରୀ ଟୁଇଟ କରି କହିଛନ୍ତି ।

ବର୍ତ୍ତମାନ ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ ବନ୍ଦ ରଖାଯାଇଛି । ଏହି ସମୟରେ ସ୍କୁଲରେ କୌଣସି ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ଏହି ନିଷ୍ପତ୍ତି ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସହ ସହବନ୍ଧିତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ ।