ନର୍ଲା ବ୍ଳକରେ କରୋନା ପଜିଟିଭ ସଂଖ୍ୟା ୧୬୫କୁ ଛୁଇଁଲା : ସର୍ଗିଗୁଡା ଓ ରୁପ୍ରାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ (୨୨ ଅପ୍ରେଲ ଗୁରୁବାର) କଳାହାଣ୍ଡି: – କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରେ ପ୍ରତ୍ୟହ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ଲକର ନର୍ଲା,ରୁପ୍ରାରୋଡ, ରୁପ୍ରା ଓ ପଲମ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କୋଭିଡ ପରିକ୍ଷଣ କରାଯାଉଛି। ନର୍ଲା ବ୍ଳକ ଅଞ୍ଚଳରେ ୩ଅଙ୍କରେ କରୋନା ପଜିଟିଭ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫କୁ ବୃଦ୍ଧି ପାଇଛି। ନର୍ଲା ନିକଟସ୍ଥ ସର୍ଗିଗୁଡା ଗ୍ରାମରେ ଗୋଟିଏ ଓ ନର୍ଲାରୋଡରେ ୫ଟି ପଜିଟିଭ ଚିହ୍ନଟପରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତକୁ ଗୁରୁବାର ଠାରୁ ୭ ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି ।

ସେହିପରି ରୁପ୍ରାରୁ ୬ ଜଣ କରୋନା ପଜିଟିଭ ଚିହ୍ନଟପରେ ରୁପ୍ରା ଗ୍ରାମକୁ ଗୁରୁବାର ସକାଳୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ସର୍ଗିଗୁଡା ଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପାଇଁ ଏକ ପ୍ରତିନିଧି ଦଳ ଯାଞ୍ଚ କରିଥିବା ଜଣାପଡିଛି। ଲୋକେ ସଚେତନ ନ ହୋଇ ଖୋଲା ଖୋଲି ଭାବରେ ହାଟ ବଜାରରେ ବୁଲୁଥିବା ଦେଖା ଯାଉଛି ।

ଯାହା ଫଳରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି।ଟିକା କରଣ ପରେ କିଛି ଲୋକଙ୍କୁ ଜ୍ୱର ହେଉଥିବା ଅଭିଯୋଗରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଯାହା ଦ୍ଵାରା ଟିକା ନେବାକୁ ଲୋକେ ପଛଘୁଞ୍ଚା ହେଉଥିବା ଜଣାପଡ଼ିଛି। ଏସବୁ ଦୂର କରିବା ପାଇଁ ପ୍ରଶାସନିକ ସ୍ତରରେ ଜନସଚେତନତା ସୃଷ୍ଟି କରିବା ସହ ନର୍ଲା ଅଞ୍ଚଳକୁ ସଟଡାଉନ ଘୋଷଣା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)