ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉପ ସଚିବଙ୍କ ହିଞ୍ଜିଳି ଗ୍ରସ୍ତ ; ହିଞ୍ଜିଳିକୁ ବିକାଶର ହବ୍ ପାଇଁ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଟିମ୍ ୱାର୍କ୍

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ,ଶନିବାର )ହିଞ୍ଜିଳିକାଟୁ :-  ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୁଖ୍ୟ ଲକ୍ଷ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍‌ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚବିଦ୍ୟାଳୟର ଆବଶ୍ୟକ ଭିତିଭୂମି ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସକାଶେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳକୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଘନ ଘନ ଗ୍ରସ୍ତ କରି ବିଦ୍ୟାଳୟର ଆବଶ୍ୟକ ଭିତିଭୂମିର ସମୀକ୍ଷା କରି ଫେରୁଥିବାର ନଜିର ରହିଛି ।  ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉପସଚିବ ଶୁଭ୍ରାଂଶୁ ମିଶ୍ର ହିଞ୍ଜିଳିି ଗ୍ରସ୍ତ କରି ବ୍ଳକର ବିଭିନ୍ନ ବିଦ୍ୟାଳୟର ଆବଶ୍ୟକ ଭିତିଭୂମିର ସମୀକ୍ଷା କରିବା ସହ ସ୍ଥାନୀୟ ବ୍ଳକ ଓ ପୌରାଂଚଳର ବହୁ ଜନ ପ୍ରତିନିଧି ମାନଙ୍କ ସହ ଅଂଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସର୍ମ୍ପକରେ ଆଲୋଚନା କରିଥିଲେ । 

ଶ୍ରୀ ମିଶ୍ର ପ୍ରଥମେ ସ୍ଥାନୀୟ ବ୍ଳକର ଭାବନ୍ଧ ପଂଚାୟତରେ ପଂହଚି ଭାବନ୍ଧ ଉଚ୍ଚ ବିଦ୍ୟାଳୟ ପରେ ଗଣ୍ଡଳା ଗଣେଷ ବିଦ୍ୟାପିଠ, ବେଲଗାଁ ରଘୁନାଥ ଉଚ୍ଚ ବିଦ୍ୟାଳୟ, ବାଳକୃଷ୍ଣପୁର ଉଚ୍ଚ ବିଦ୍ୟାଳୟ, , ପୁଟିଆପଦର, ନନ୍ଦିକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରାଳବ ପ୍ରାଥମିକ ବିଦ୍ୟାଳୟ,, ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ସାପୁଆପଲ୍ଲୀ , ଦାରୁଭଦ୍ରା ଉଚ୍ଚ ବିଦ୍ୟାଳୟ, ଦୁୂର୍ବନ୍ଧ ଓ ସାରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମଡ଼େଲ ଲାଇବ୍ରେରୀ ରେ ପଂହଚି ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ ପ୍ରଣାଳୀ, ବିଦ୍ୟାଳୟ ପରିବେଶ, ଆର୍ଟ ରୁମ, ସ୍ମ୍ରାଟ କ୍ଳାସ ରୁମ, ଗ୍ରନ୍ଥାଳୟ, ବିଜ୍ଞାନାଗାର ବୁଲି ଦେଖିଥିଲେ । ବିଦ୍ୟାଳୟ ପାଠାଗାର ଓ ବିଜ୍ଞାନଗାରରେ ଉନ୍ନତି ଆଣିବା ସକାଶେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ସଂପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ସେବା ଓ ଅନ୍ୟାନ କାର୍ଯ୍ୟ ବୁଲି ଦେଖିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅଭାବ , ଅସୁବିଧା ସର୍ମ୍ପକରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଂଟର ଅଫ୍ ଏକ୍ସଲେନ୍ସି ସକାଶେ ଆବଶ୍ୟକୀୟ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା କାର୍ଯ୍ୟାକାରୀ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏଥି ସହ ମନରେଗା ଯୋଜନାରେ ଭାବନ୍ଧ, ବେଲଗାଁ, ଦାରୁଭଦ୍ରା,ଓ ଅନ୍ୟାନ ପଂଚାୟତରେ ନିର୍ମିତ ମଡ଼େଲ ପାର୍କ ଗୁଡ଼ିକୁ ପରିଦର୍ଶନ କରିବା ସହ ସଂପୃକ୍ତ ପଂଚାୟତର ଫୋଖରୀର ସୌନ୍ଦର୍ଯ୍ୟକରଣ ବୁଲି ଦେଖିଥିଲେ ।   ( ରିପୋର୍ଟ : ଶୁସାନ୍ତ ପ୍ରଧାନ )