ଖରା ବଢୁଛି, ପାଣି ସମସ୍ୟା ଦେଖାଦେଲାଣି; ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ନଳକୂଅ/ଲେଫ୍ରିପଡ଼ା :- ଲେଫ୍ରିପଡ଼ା ଅଞ୍ଚଳରେ ଅସହ୍ୟ ଗ୍ରୀଷ୍ମପ୍ରବାହ ପ୍ରକୋପରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଇତିମଧ୍ୟରେ ଅଧିକାଂଶ ନଈନାଳ ଶୁଖି ଗଲାଣି । ଅଧିକାଂଶ ନଳକୂଅ ଅଚଳ ହେଲାଣି । ପାଣି ପାଇଁ ଡହକବିକଳ ହେଲେଣି ଲୋକେ । ବ୍ଲକ୍‌ର ଜୀବନରେଖା କୁହାଯାଉଥିବା ଇଚ୍ଛାନାଳ ପାଣି ଶୁଖିଯିବାରୁ ନଈକୂଳିଆ ଲୋକଙ୍କ ପାଇଁ ପାଣି ସମସ୍ୟା ଦେଖାଦେଇଛି । ଚାଷବାସ ଠାରୁ ଆରମ୍ଭ କରି ଗାଧୁଆପାଧୁଆ ତଥା ଗାଈଗୋରୁ ସମସ୍ତେ ଏହି ନାଳ ଉପରେ ନିର୍ଭର କରିଥାନ୍ତି । ସରକାର ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରିଛନ୍ତି । ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଲୋକେ ଏହାର ସୁଫଳ ପାଉନାହାନ୍ତି ।

ବ୍ଲକ୍‌ର ବହୁ ପଞ୍ଚାୟତରେ ଏବେଠାରୁ ଜଳ ସମସ୍ୟା ଉତ୍କଟ ହେଲାଣି । ତଥାପି ବିଭାଗ ପକ୍ଷରୁ ମରାମତି କିମ୍ବା ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି । କିନ୍ତୁ ଯୋଜନା ସମୂହର କାର୍ଯ୍ୟକାରିତାକୁ ଠିକ୍ ରୂପେ ତଦାରଖ କରାଯାଉନଥିବା ଅଭିଯୋଗ ହେଉଛି । ଫଳରେ ଖରା ଆରମ୍ଭରୁ ହିଁ ଲେଫ୍ରିପଡ଼ାର ବିଭିନ୍ନ ସ୍ଥାନରେ ଜଳର ଉତ୍କଟ ସମସ୍ୟା ଦେଖିବାକୁ ମିଳୁଛି । କେଉଁଠି ନଳକୂପ ଖରାପ ତ କେଉଁଠି ଗ୍ରାମକୁ ପାଣି ଯୋଗାଣ ଦୁଇ ଦିନରେ ମାତ୍ର ଥରେ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ ପମ୍ପ ହାଉସ ଭିତରେ ସୀମିତ ରହିଛି । ପ୍ରକଳ୍ପ ଥିଲେ ବି ସାଧାରଣ ଲୋକମାନେ ପାଇପ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ।

ବିଶେଷ କରି ହୁର୍ମେଇ, ସରଫଗଡ଼, ଡୁମାବାହାଲ ଓ ରାଜବାହାଲ ପଞ୍ଚାୟତର ସଂଖ୍ୟାଧିକ ଗାଁରେ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି । ଗାଁମାନଙ୍କରେ ଥିବା ନଳକୂଅ ଓ ସୋଲାର ଡୁଆଲ ପମ୍ପଗୁଡିକ ଖରାପ ହୋଇ ପଡିଛି । ପଞ୍ଚାୟତଗୁଡିକ ପକ୍ଷରୁ ଜଳଛତ୍ର, ମୋବାଇଲ ଟ୍ୟାଙ୍କର, ଚହଳା ଖନନ ଓ କ୍ରସବନ୍ଧ ବ୍ୟବସ୍ଥା କରିବା ଦିଗରେ ଆଦୌ ତତ୍ପରତା ଦେଖା ଯାଉନି । ଦାୟିତବରେ ଥିବା ସ୍ଥାନୀୟ କର୍ମଚାରୀ ନା ନା ଆଳ ଦେଖାଇ ନଳକୂଅ ମରାମତି କରୁ ନ ଥିବାବେଳେ ସ୍ଥାନୀୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଦେଖା ମିଳୁନି । ଆଗକୁ ଖରା ଆହୁରି ବଢ଼ିବାକୁ ଥିବାରୁ ଜିଲ୍ଲା ଜଳ ଓ ପରିମଳ ବିଭାଗ ସଜାଗ ରହିବା ସହ ଖରାପ ଥିବା ନଳକୂପର ମରାମତି ସହ ପ୍ରତ୍ୟେକ ଗ୍ରାମକୁ ଦୈନିକ ଜଳ ଯୋଗଣ କରାଯିବାକୁ ଦାବି ହେଉଛି । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )