ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପୁଲିସ୍ ଜଣେ ପୂର୍ବତନ ମହିଳା ସରପଞ୍ଚଙ୍କୁ ଗିରଫ କରିଛି

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ଢେଙ୍କାନାଳ :- ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପୁଲିସ୍ ଜଣେ ପୂର୍ବତନ ମହିଳା ସରପଞ୍ଚଙ୍କୁ ଗିରଫ କରିଛି । ଗିରଫ ମହିଳାଙ୍କ ନାଁ ମମତା ସାହୁ ।  ତାଙ୍କ ଘର ନରସିଂହପୁର ଅଞ୍ଚଳରେ। ସେ ବନ୍ଧହୁଡ଼ା ପଞ୍ଚାୟତର ସରପଞ୍ଚ ଥିଲେ ।  ତେବେ ସେ ହିନ୍ଦୋଳ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ସୂଚନା ଅନୁଯାୟୀ, ଗତକାଲି ହିନ୍ଦୋଳ ବଜାରରେ ଜଣେ ବ୍ୟବସାୟୀଙ୍କୁ ୧୧ ହଜାର ଟଙ୍କା ଦେଇଥିଲେ ।  ତେବେ ନୋଟ୍ ଗୁଡ଼ିକୁ ଦେଖି ଉକ୍ତ ବ୍ୟବସାୟୀଙ୍କର ସନ୍ଦେହ ହୋଇଥିଲା । 

ସେ ସଙ୍ଗେ ସଙ୍ଗେ ହିନ୍ଦୋଳ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ନିଜ ହେପାଜତକୁ ନେବା ସହିତ ନକଲି ନୋଟ୍‌ ଗୁଡ଼ିକୁ ଜବତ କରିଥିଲା । ସେ ଜାଲ୍ ନୋଟ୍ କାରବାର କରୁଥିବା ନେଇ ପୁଲିସ୍ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି ।  ତେବେ ଏହି ଜାଲ୍ ନୋଟ୍ କେଉଁଠୁ ଆସିଲା ଓ ୟା ପଛରେ ଆଉ କେଉଁମାନେ ଅଛନ୍ତି, ସେ ସବୁ ଦିଗରେ ତଦନ୍ତ କରିବା ପାଇଁ ହିନ୍ଦୋଳ ପୁଲିସ୍ ମମତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି । (ଢେଙ୍କାନାଳ,ରିପୋର୍ଟ୍/ଅମର ରଞ୍ଜନ ଦାସ।)