ପୁଣି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ମାନବିକତା ଦେଖାଇଲେ ୧୦୮ କର୍ମଚାରୀ

ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) କରଞ୍ଜିଆ :-  ପୁଣି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ମାନବିକତା ଦେଖାଇଲେ ୧୦୮ କର୍ମଚାରୀ । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଗୌୟଳ ମୁଣ୍ଡା ଗ୍ରାମପଞ୍ଚାୟତ କନ୍ତଳା ଗ୍ରାମରେ । ସୂଚନାଯୋଗ୍ୟ ଯେ, ଗତ ରବିବାର ଗୌୟଳମୁଣ୍ଡା ଗ୍ରାମ ପଞ୍ଚାୟତ କନ୍ତାଳ ଗ୍ରାମର ସୀତା ବିରୁଆ ନାମକ ଜନୈକ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାରଲୋକ । ହେଲେ ଉକ୍ତ ଗ୍ରାମକୁ ଭଲ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସଟି ଗାଁଠାରୁ ୨ କିଲୋମିଟର ଦୂରରେ ଅଟକି ଯାଇଥିଲା ।  ସେଠାରେ ନେଟୱର୍କ ନ ଥିବାରୁ ଯୋଗାଯୋଗର କୌଣସି ସୁବିଧା ନଥିଲା । 

ଇଏମଟି କେଦାର ନାଥ ମହାନ୍ତ, ହେଲ୍ପପର ଭରତ ମହାନ୍ତ ଏବଂ ଡ୍ରାଇଭର ରଞ୍ଜିତ ମହାନ୍ତ ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ସହାୟତାରେ ୨ କିଲୋମିଟର ପର୍ଯ୍ୟନ୍ତ ଗୁରୁତର ରୋଗୀକୁ ଖଟିଆରେ ୧୦୮ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିଆଣି ଥିଲେ ।  ତେବେ ଏପରି ମହତ କାର୍ଯ୍ୟ ୧୦୮କର୍ମଚାରୀମାନେ କରିଥିବାରୁ ଗୁରୁତର ଗର୍ଭବତୀ ମହିଳା ଏବଂ ଛୁଆର ଜୀବନ ବଞ୍ଚିଯାଇଛି ।  ବର୍ତ୍ତମାନ ଗୁରୁତର ରୋଗୀ ସୀତାର ଚିକିତ୍ସା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ଜଣାପଡ଼ିଛି ।