ମାଟି ମାଆ ସଂଘର୍ଷ ସମିତିର ଧାରଣାରେ ସାମିଲ୍ ହେଲେ – କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ସୋର :- କେନ୍ଦ୍ରୀୟ ଯୋଜନା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଭରସା ନାହିଁ । ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଣି ଧାରଣାରେ ବସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଏଥିସହ ଧାରଣା ସ୍ଥଳରେ କେନ୍ଦ୍ର ବିରୋଧରେ କରିଛନ୍ତି ବିଷୋଦଗାର । କହିଛନ୍ତି- ଏନଏଚ ଅଧିକାରୀ ଓ ଠିକା କମ୍ପାନୀ ବ୍ରିଜ୍ ଗୋପଳ କନଷ୍ଟ୍ରକ୍ସନ ମିଳିମିଶି ଲୁଟ୍ ଯୋଜନା କରିଛନ୍ତି ।

ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରିବା ବଦଳରେ ବାହାର ଶ୍ରମିକଙ୍କୁ ନିୟୋଜିତ କରିଛି କମ୍ପାନୀ । ଏପରକି ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆନଯାଇ ନିର୍ମାଣ କାର୍ଯ୍ୟ କରାଯାଉଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଏଥିସହ ପଥର ଚୋରି କରି ରାସ୍ତାକାମ ଚାଲିଥିବାରୁ ରାଜସ୍ବ ହାନି ହେଉଥିବା ଅଭିଯୋଗ ଆଣିଛନ୍ତି ପ୍ରତାପ ।

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ଆଣି ମାଟି ମାଆ ସଂଘର୍ଷ ସମିତିର ଧାରଣାରେ ସାମିଲ ହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ତେବେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ଚାଲିଥିବା ବେଳେ, କେନ୍ଦ୍ରମନ୍ତ୍ରୀଙ୍କ ଏ ଆଭିମୁଖ୍ୟ ତାଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ନିଜେ ବିଭାଗୀୟ ମନ୍ତ୍ରୀଙ୍କୁ ନଜଣାଇ କେନ୍ଦ୍ରକୁ ଟାର୍ଗେଟ୍ କରି ଲୋକଙ୍କ ସମର୍ଥନ ହାସଲ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି । ଏନେଇ ସ୍ଥାନୀୟ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ମନ୍ତ୍ରୀ ଜଣାଇଥିବା ବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।  (ଦୀପ୍ତିମାନ ପତି,ବାଲେଶ୍ୱର )