ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ୫୧,୩୬,୨୧୭ ଟଙ୍କାର ସହଯୋଗ ନିଧି ସମର୍ପିତ ; ନିଧି ପ୍ରଦାନରେ ଅଦ୍ଭୁତପୂର୍ବ ଉତ୍ସାହ ଜାତୀୟ ଐକ୍ୟ ଓ ସଂହତିର ଅପୂର୍ବ ନିଦର୍ଶନ – ଅପରାଜିତା ଷଡଙ୍ଗୀ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ଭୁବନେଶ୍ୱର  :- ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ସାମାଜିକ କର୍ମୀ ତଥା ଯୁବ ଭାଜପା ନେତା ଉମେଶ ଖଣ୍ଡେଲୱାଲଙ୍କ ଦ୍ବାରା ରାମ ଭକ୍ତଙ୍କ ଠାରୁ ୫୧,୩୬,୨୧୭ ଟଙ୍କା ସଂଗୃହିତ ହୋଇଥିଲା। ଏହି ସଂକଳ୍ପର ପ୍ରେରଣାଦାତ୍ରୀ ତଥା ଭାଜପାର ଜାତୀୟ ମୁଖପାତ୍ର ଓ ଭୁବନେଶ୍ବରର ଲୋକପ୍ରିୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ନିଧି ସମର୍ପଣ ସମିତିକୁ ଏହି ସଂଗୃହିତ ଅର୍ଥ ହସ୍ତାନ୍ତରିତ କରାଯାଇଛି। ସମାଜସେବୀ ଶ୍ରୀ ଉମେଶ ଖଣ୍ଡେଲୱାଲଙ୍କ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କ ମାତା ଉର୍ମିଳା ଖଣ୍ଡେଲୱାଲଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସଂକଳ୍ପ ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅହରହ ସଂକଳ୍ପ ପଥରେ ଅଗ୍ରସର ହୋଇ ବନ୍ଧୁ ସହୋଦର ଓ ରାମଭକ୍ତ ମାନଙ୍କ ଠାରୁ ସହଯୋଗ ରାଶି ସଂଗ୍ରହରେ ଉମେଶ ଭାଇଙ୍କ ନିଷ୍ଠା ଓ ଏକାଗ୍ରତାର ଭୁରି ଭୁରି ପ୍ରଂଶସା କରିଥିଲେ ।

ଅପରପକ୍ଷେ, ଲୋକଙ୍କ ସ୍ବତ ସହଯୋଗ ଆମ ସମସ୍ତଙ୍କର ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ଜନମାନସରେ ଥିବା ଅପାର ଆସ୍ଥାକୁ ସ୍ପଷ୍ଟ କରୁଛି । ବିଗତ ୪୯୬ ବର୍ଷ ଧରି ସଂଘର୍ଷ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କେବଳ ଏକ ମନ୍ଦିର ନୁହେଁ ବଂର ଏକ ଜାତୀୟ ସ୍ମାରକର ନିର୍ମାଣ ଅଟେ । ଏଥିପାଇଁ ସହଯୋଗିତା ଭିତ୍ତିରେ ଆପଣାର ସହଯୋଗ ନିଧି ପ୍ରଦାନରେ ଜନମାନସରେ ଦେଖାଦେଇଥିବା ଅଦ୍ଭୁତପୂର୍ବ ଉତ୍ସାହ ଜାତୀୟ ସଂହତି ଓ ଐକ୍ୟର ଏକ ଅପୂର୍ବ ନିଦର୍ଶନ ଛଡା ଆଉ କ’ଣ ହୋଇପାରେ ବୋଲି ସାଂସଦ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି। ନିଧି ସମର୍ପଣ କାର୍ଯ୍ୟକ୍ରମ ଅବସରରେ ଅଭିଯାନର ସହ ପ୍ରମୁଖ ପବିତ୍ର କୁମାର ସ୍ବାଇଁ, ଜୟକୃଷ୍ଣ ପୃଷ୍ଟି, ହିରଣ୍ମୟ ଦାସ, ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠନ ସଂପାଦକ ଆନନ୍ଦ ପାଣ୍ଡେ, ସତୀଶ ସତପଥୀ, ଦିଲ୍ଲୀପ ଖଣ୍ଡେଲୱାଲ ଓ ରାଜେଶ କେଜରିଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ଧନ୍ୟବାଦ ଉତ୍ତରରେ ଉମେଶ ଖଣ୍ଡେଲୱାଲ କୋଟି ହୃଦୟର ଆଦର୍ଶ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣରେ ସହଭାଗି ହେବା, ଏକ ଐତିହାସିକ ମୂହୁର୍ତ୍ତର ସାକ୍ଷୀ ହେବା ଏବଂ ଛୋଟ ଭୂମିକା ନିର୍ବାହର ସୁଯୋଗ ଆମ ପାଇଁ ପରମ ସୌଭାଗ୍ୟର ବିଷୟ ବୋଲି ମତବ୍ୟକ୍ତ କରିଥିଲେ ।