ଡ଼ଃ ଭରତିଆ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ମନୋନୀତ

ଓଡ଼ିଶା ତାଜା ନ୍ୟୁଜ୍ (0୩ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ସଂସ୍କୃତି ପୁରୁଷ ଡଃ କିଶନଲାଲ ଭରତିୟାଙ୍କୁ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ମନୋନୀତ କରାଯାଇଛି । ବିଶ୍ୱବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ପ୍ର ଗଣେଶୀ ଲାଲ ଡ଼ଃ ଭରତିୟାଙ୍କୁ ଏହି ପଦରେ ମନୋନୀତ କରିଥିବା କଥା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି । ସର୍ବଦା ଆଧ୍ୟାତ୍ମିକ ଜୀବନ ଜୀଉଁଥିବା କଟକ ବାସିନ୍ଦା ଡ଼ଃ ଭରତିୟାଙ୍କ ନାମ ବିଶ୍ୱବିଦ୍ୟାଳୟର ମନୋନୀତ ସଦସ୍ୟ ସୂଚୀରେ ସର୍ବାଗ୍ରେ ରହିବା ସହିତ ସର୍ବସମ୍ମତ ଭାବେ ସ୍ୱୀକୃତ ହୋଇଥିଲା । ଏହା ସହିତ କୁଳାଧିପତିଙ୍କ ପକ୍ଷରୁ ଅନ୍ୟ ତିନିଜଣ ସଦସ୍ୟଙ୍କୁ ମଧ୍ୟ ସିଣ୍ଡିକେଟକୁ ମନୋନୀତ କରାଯାଇଛି ।

ଡଃ ଭରତିୟା ରାଜ୍ୟର ଅନେକ ଉଲ୍ଲେଖଯୋଗ୍ୟ ତଥା ପ୍ରଶଂସନୀୟ ଆଧ୍ୟାତ୍ମିକ ତଥା ସାମାଜିକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହିଛନ୍ତି । ସେ ଦେଶର ଅନେକ ସ୍ଥାନରେ ଗୋଶାଳା, ଅନାଥାଳୟ, ଧର୍ମଶାଳା, ଦାତବ୍ୟ ଚିକିତ୍ସାଳୟ, ହିନ୍ଦୁ ମନ୍ଦିର, ସ୍କୁଲ, କଲେଜ ଆଦି ସ୍ଥାପନ କରିବାରେ ମହତ୍ୱପୂର୍ଣ୍ଣ ସହଯୋଗ ଦେଇଛନ୍ତି । ପୁରୀରେ ସେ ଏକ ଜଗନ୍ନାଥ ବାଟିକା ସ୍ଥାପନ କରିଛନ୍ତି । ଏଠାରେ ବର୍ଷ ସାରା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ଯେଉଁଥିରେ ଦେଶ ବିଦେଶର ବହୁ ଜ୍ଞାନୀ, ଗୁଣୀ, ବିଦ୍ୱାନ ଯୋଗ ଦେଇଥାଆନ୍ତି । ଡ଼ଃ ଭରତିୟା ୧୦ ବର୍ଷ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ଡ଼ଃ ଭରତୀୟା ପୁରୀ ଶଙ୍କରାଚାର୍ଯ୍ୟଙ୍କର ଗୋବର୍ଦ୍ଧନ ପୀଠରେ ଏକ ସୁନ୍ଦର ବିମଳା ମନ୍ଦିର ନିର୍ମାଣ କରିଛନ୍ତି । କରୋନାକାଳରେ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କୁ ସେ ଶୁଖିଲା ରାସନ ମଧ୍ୟ ପ୍ରଦାନ କରିଛନ୍ତି ।

ତାଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂତନ ସିଣ୍ଡିକେଟ ସଦସ୍ୟ ମନୋନୀତ କରିଥିବାରୁ ବିଶ୍ୱିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ର ଗଣେଶୀ ଲାଲଙ୍କୁ ନିଜର କୃତଜ୍ଞତା ଜଣାଇବା ସହିତ ଡ଼ଃ ଭରତିୟା କହିଛନ୍ତି ଯେ ସଂସ୍କୃତ ହେଉଛି ଆମର ଦେବଭାଷା । ସଂସ୍କୃତର ବେଦମନ୍ତ୍ରରେ ସନାତନୀ ଦେବୀଦେବତାଙ୍କୁ ଆବାହନ କରାଯିବାର ଶକ୍ତି ରହିଥାଏ । ଆଧ୍ୟାତ୍ମିକ ଜୀବନ ବଂଚିବା ପାଇଁ ତଥା ଆଧ୍ୟାତ୍ମିକ ମାର୍ଗରେ ଚାଲିବା ପାଇଁ ସଂସ୍କୃତରେ ଜ୍ଞାନ ରହିବା ନିହାତି ଆବଶ୍ୟକ । ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ସେ ବିଶ୍ୱବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ସହାୟତା କରିବେ ।