ନକଲି ମଦ ପ୍ରସ୍ତୁତ ହେଉଛି ବ୍ରହ୍ମପୁରରେ : ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର )ବ୍ରହ୍ମପୁର :- ଭେଜାଲ୍‌ ଖାଦ୍ୟ ସାମଗ୍ରୀ ପରେ ବ୍ରହ୍ମପୁରରେ ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା । ବଡ଼ ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ତୃପ୍ତିନଗରରେ ଏକ ଭଡ଼ାଘରେ ଚାଲିଥିବା ଏହି କାରବାର ପର୍ଦ୍ଦାଫାସ୍‌ କରିଛି ଅବକାରୀ ଗୁଇନ୍ଦା ବିଭାଗ । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଏକ ଟିମ୍‌ ଆଜି ସେହି ଭଡ଼ାଘରେ ଚଢ଼ଉ କରିଥିଲା । ଯାଞ୍ଚ ପରେ ସେଠାରୁ ବିପୁଳ ପରିମାଣ ନକଲି ବିଦେଶୀ ମଦ ଜବତ ହୋଇଥିଲା । ଏ ସଂକ୍ରାନ୍ତରେ ମୋଟ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କାଳୁପାତ୍ରସାହିର ନାରାୟଣ ବିଷୋୟୀ, ସୁକୁଣ୍ଡାର ରବୀନ୍ଦ୍ର ପାଣିଗ୍ରାହୀ, ଶାନ୍ତିନଗର ତୃତୀୟ ଲାଇନ୍‌ର ଏମ୍. ଆଶିଷ କୁମାର ରାଓ, ବେଗୁନିଆପଡ଼ାର ଶ୍ରୀକାନ୍ତ କୁମାର ବେହେରା ଓ ଗଣେଶନଗରର ସନ୍ତୋଷ ସ୍ବାଇଁ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ହରିଡ଼ାଖଣ୍ଡି ଅଞ୍ଚଳରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ ଖବର ମିଳିଥିଲା ।

ଏହାର ଖବର ପାଇ ଅବକାରୀ ବିଭାଗର ଏକ ଟିମ୍‌ ହରିଡ଼ାଖଣ୍ଡି ତୃପ୍ତିନଗରରେ ଚଢ଼ଉ କରିଥିଲା । ଏକ ଭଡ଼ାଘରେ ଚାଲିଥିବା ନକଲି ମଦ କାରଖାନା ଠାବ ହୋଇଥିଲା । ସେଠାରେ ସ୍ପିରିଟ୍‌ ସହିତ ବିଭିନ୍ନ ପ୍ରକାର ରଙ୍ଗ ଓ ଆସେନ୍ସ ମିଶ୍ରଣ କରି ନକଲି ମଦ ତିଆରି କରାଯାଉଥିଲା । ସେଠାରୁ ବିଭିନ୍ନ ବ୍ରାଣ୍ଡ୍‌ର ନକଲି ମଦ ଜବତ ହୋଇଥିଲା । ସେହିପରି ଶହେ ଲିଟର୍‌ ସ୍ପିରିଟ୍‌, ବୋଟଲିଂ ପାଇଁ ରହିଥିବା ୨୦ଲିଟର୍‌ ନକଲି ମଦ, ୩ ପେଟି ମଦ, ୫ହଜାର ଠିପି, ଲେବଲ୍‌ ଓ ଷ୍ଟିକର୍‌ ସହିତ ୫ଶହରୁ ଊର୍ଦ୍ଧ୍ବ ଖାଲି ବୋତଲ ଜବତ ହୋଇଥିଲା । ଏହା ସହିତ ଏକ ପ୍ୟାକିଂ ମେସିନ୍‌ ମଧ୍ୟ ଜବତ ହୋଇଛି । କିଛିଦିନ ହେଲା ଏଠାରେ ଏଭଳି ନକଲି ମଦ ପ୍ରସ୍ତୁତ କରି ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ କରାଯାଉଥିଲା ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନେ ଏହି ସମସ୍ତ ସାମଗ୍ରୀ କୋଲକାତାରୁ ଆଣି ବ୍ରହ୍ମପୁରରେ ବେପାର କରୁଥିଲେ ବୋଲି ସୂଚନା ମିଳିଛି । ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍‌ଆଇ ବିଶ୍ବଜିତ ଦାଶ, ଏସ୍‌ଆଇ ସଂଜୟ କୁମାର କାଣ୍ଡି, ଏଏସ୍‌ଆଇ ବ୍ରଜ କି‌ଶୋର ନାୟକ ପ୍ରମୁଖ ସାମିଲ ଥିଲେ ।  ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )