ଜିଲ୍ଲାପାଳଙ୍କ ଠାରୁ କିଛି ଶିଖ ; ତାହା ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର )ବୁଗୁଡା :- ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମହୋଦୟଙ୍କ ଠାରୁ କିଛି ଶିଖ । ସେ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ସାଇକେଲରେ ବିଭିନ୍ନ ସାହି ବୁଲି ଲୋକଙ୍କୁ ସଚେତନ କରାଇବା ସହ କର୍ମଚାରୀଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ । ଯାହାଦ୍ୱାରା କର୍ମଚାରୀବୃନ୍ଦ ନିଜର ଦାୟିତ୍ୱ ସୁଚାରୁଭାବେ କରିବା ସହ ଜନସାଧାରଣ ମଧ୍ୟ ସହର ସଫା ରଖିବା ପାଇଁ ସଚେତନ ହେଉଛନ୍ତି । ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମହୋଦୟ ବୋଧହୁଏ ଜିଲ୍ଲାପାଳଙ୍କ ଆଦର୍ଶ ପାଳନ କରିବାକୁ ନାରାଜ । କାର୍ଯ୍ୟନିର୍ବାହୀ ଅଧିକାରୀ ମହୋଦୟ ଏସି ରୁମରେ ବସି ଛାତି ଫୁଲାଇ ଆମେ ଅଧିକ କର ଆଦାୟ କରି ପାରିଛୁ ବୋଲି ବାହାଦୂର ଦେଖାଇଲେ ପରିମଳ ସମସ୍ୟା ଦୂର ହେବନାହିଁ । ଜିଲ୍ଲାପାଳଙ୍କ ପଥ ଅନୁସରଣ କରି ପ୍ରତ୍ୟେକ ୱାର୍ଡ଼କୁ ଯାଇ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରାଯାଉ ।

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ ସେ ୬ ନମ୍ବର ୱାର୍ଡ଼କୁ ପରିଦର୍ଶନ କରିବାକୁ ଯାଇଛନ୍ତିକି ? ସେହି ୱାର୍ଡର ପ୍ରବେଶ ମୁହଁରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଥିବା ସେ ଜାଣିଛନ୍ତିକି ? ଶିଶୁଙ୍କ ପାଇଁ ନିର୍ମିତ ପାର୍କ ଖୋଲୁନାହିଁ । ଗେଟରେ ଚାବି ପଡି ରହିଛି । ପିଲାମାନେ ଗେଟ ଡେଇଁ ଭିତରକୁ ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗେଟ ଡେଇଁ ଶିଶୁମାନେ ପାର୍କକୁ ଗଲାବେଳେ ଯଦି କିଛି ଅଘଟଣ ଘଟେ ସେଥିପାଇଁ ଦାୟୀରହିବ କିଏ ? ପାର୍କ ବନ୍ଦ ରହିବା ବିଷୟ ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଛିକି ? ଏଣେ ପାର୍କର ବହୁ ଜିନିଷ ଭାଙ୍ଗିରୁଜି ପଡିଥିବା ବେଳେ ରକ୍ଷଣାବେକ୍ଷଣ ହେଉନାହିଁ । ପାର୍କ ପରିସର ଅପରିଷ୍କାର ହୋଇ ପଡିଛି । ପାର୍କ ନିକଟରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିଛି । ଏହା କଣ ବୁଗୁଡା ଏନଏସି ର ସୁସ୍ଥ ପରିମଳର ନମୁନା ? ଦୁଇ ତିନି ଦିନରେ ଥରେ ସଫେଇ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି । ନାଳ ନର୍ଦ୍ଦମା ସଫା ହେଉନଥିବା ୱାର୍ଡ଼ ବାସିନ୍ଦା କହୁଛନ୍ତି । ଦୀର୍ଘ ଦିନ ଧରି ଗୋଟିଏ ବିଦ୍ୟୁତ ଖୁଣ୍ଟରେ ବିଜୁଳି ଆଲୁଅ ଜଳୁ ନଥିବା ବେଳେ ୱାର୍ଡ଼ବାସୀ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାଁନ୍ତି । ଗଞ୍ଜାମ ଜିଲ୍ଲାପାଳ ମହୋଦୟ ୬ ନମ୍ବର ୱାର୍ଡ଼ ପ୍ରତି ହେଉଥିବା ଅବହେଳା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )