ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଜାଲରେ ପଡିଲେ ପୋଲିସ ବାବୁ : ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ – ୪୦ ଲକ୍ଷ ଟଙ୍କା ହେବ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ମାଲକାନଗିରି ଜିଲ୍ଲା :- ପୋଲିସ ଗଞ୍ଜେଇ ଚାଲାଣ କରୁଥିଲାବେଳେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲେ ଗଞ୍ଜେଇ ବେପାରୀ ପୋଲିସ । ଗାଡିକୁ ଜବତ କରିବା ସହ କିପରି ପୁଲିସ ଗଞ୍ଜେଇ ବେପାରରେ ସାମିଲ ରହିଛି, ତାହାର ପର୍ଦାଫାସ ହୋଇଛି । ଖାକି ବର୍ଦିରେ ଗଂଜେଇ ଗନ୍ଧ ବାରିପାରିଛି ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଚିତ୍ରକୋଣ୍ଡା ଅଂଚଳରୁ ଏକ ପିକ୍ଅପ୍‌ ଭ୍ୟାନ୍‌ରେ ଗଞ୍ଜେଇ ଯାଉଛି । ତେବେ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ କର୍ମଚାରୀମାନେ ତିନୋଟି ଦଳ ହୋଇ ବିଭିନ୍ନ ସ୍ଥାନରେ ଛକି ରହିଲେ । ଜଣେ ପୋଲିସ ବାବୁ ବାଲିମେଳା – ମାଲକାନଗିରି ରାସ୍ତାରେ ଏକ ପିକ୍ଅପ୍‌ ଭ୍ୟାନ୍‌ କ୍ଷୀପ୍ର ଗତିରେ ନେଇ ଆସୁଥିବାର ଅବକାରୀ ଅଧିକ୍ଷକ ଶ୍ରୀ ସେଠ ଦେଖିବାକୁ ପାଇଥିଲେ । ପିକ୍ଅପ୍‌ ଭ୍ୟାନ୍‌କୁ ଅଟକାଇବାରୁ ଏହା ଅବକାରୀ ଅଧିକ୍ଷକଙ୍କ ଗାଡିକୁ ଧକ୍କା ଦେଇ ମାଲକାନଗିରି ପଟେ ଯିବାକୁ ଚେଷ୍ଟା ମଧ୍ୟ କରିଥିଲା ।

ତେବେ କୋରକୋଣ୍ଡା ନିକଟରେ ପିକ୍ଅପ୍‌ ଭ୍ୟାନ୍‌କୁ ଅବକାରୀ କର୍ମଚାରୀମାନେ କାବୁ କରିବାରେ ସଫଳ ହୋଇଥିଲେ । ଭ୍ୟାନ କୁ ଯାଞ୍ଚ କଲାବେଳେ ସେଥିରେ ପଣସ ଓ କଖାରୁ ଗଦା ହୋଇ ରହିଥିଲା । ସେହି ପଣସ ଓ କଖାରୁକୁ କାଢିବା ପରେ ସେଥିରୁ ୮ କ୍ବିଣ୍ଟାଲ ଗଞ୍ଜେଇ ବାହାରିଥିଲା । ଯାହାକୁ ୩୧ଟି ପ୍ୟାକେଟ କରି ଭର୍ତ୍ତି କରାଯାଇଥିଲା । ଗଞ୍ଜେଇ ଚାଲାଣ କରୁଥିଲେ ସଂଜୀବ ହୀରା ନାମକ ଜଣେ ପୁଲିସ କନେଷ୍ଟବଳ । ସଂଜୀବଙ୍କ ଘର ଏମଭି-୭ ଗ୍ରାମରେ । ସେ ପୂର୍ବରୁ ମଧ୍ୟ ବହୁ ଥର ଗଞ୍ଜେଇ ମାଲକାନଗିରିରୁ ବାହାର ରାଜ୍ୟକୁ ଚାଲାଣ କରି ସଫଳ ହୋଇଛନ୍ତି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି ।

ମାଲକାନଗିରି ଜିଲ୍ଲାରୁ ଗଞ୍ଜେଇ ପାର ହୋଇ ଅନ୍ୟ ଜିଲ୍ଲାରେ ଗଞ୍ଜେଇ ଧରା ପଡୁଥିବା ବେଳେ ଏଥିରେ ପୁଲିସ ବିଭାଗର ସଂପୂର୍ଣ୍ଣ ହାତ ରହିଥିବା ଏଥିରୁ ସ୍ପଷ୍ଠ ହୋଇଛି । ଗଞ୍ଜେଇ ଲଦି ପୁଲିସ ଗାଡି ଚଳାଉଥିଲେ କେହି ସଂଦେହ କରିବେ ନାହିଁ ଭାବି ଏହି ପୁଲିସ କନେଷ୍ଟବଳ ଜଣକ ଏଭଳି ବହୁ ଥର ଗଂଜେଇକୁ ପାର କରାଇବାରେ ସଫଳ ହୋଇଛନ୍ତି । ତେବେ, ଏଥିରେ ଆହୁରି ତିନି ଜଣ ସଂପୃକ୍ତ ଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାର ଆଉ ଜଣେ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବା ଅବକାରୀ ବିଭାଗ କହିଛି । ପୁଲିସ ରକ୍ଷକ ହୋଇ ଭକ୍ଷକ ସାଜିଥିବା ନେଇ ମାଲକାନଗିରିରେ ଚର୍ଚ୍ଚା ଜୋର ଧରିଛି । ଧରାପଡିଥିବା ପୁଲିସ ବାବୁଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଏବଂ ନଗଦ ୩୯୨୦ ଟଂକା ମଧ୍ୟ ଜବତ କରାଯାଇଛି । ପିକ୍‌ଅପ୍‌କୁ ମଧ୍ୟ ଜବତ କରାଯାଇଥିବା ଅବକାରୀ ବିଭାଗ କହିଛି । ତେବେ ମାଲକାନଗିରି ପୁଲିସ ଏନେଇ କୌଣସି ସ୍ପଷ୍ଟିକରଣ ମିଳିପାରିନାହିଁ । ଦୀର୍ଘ ଦିନ ପରେ ଅବକାରୀ ବିଭାଗ ଏତେ ପରିମାଣର ଗଂଜେଇ ଧରିବା ସହ ପୁଲିସର ବ୍ୟବସାୟକୁ ମଧ୍ୟ ପର୍ଦାଫାସ କରିପାରିଛି ।