ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଇଏସଓ ମାନ୍ୟତା

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଇଏସଓ ୯୦୦୧ : ୨୦୧୫ ମାନ୍ୟତା ପ୍ରଦାନ କରାଯାଇଛି । ଏହି ମାନ୍ୟତା ୨୦୨୧ ଠାରୁ ୨୦୨୪ ପର୍ଯ୍ୟନ୍ତ ୪ବର୍ଷ ସମୟ ସକାଶେ ପ୍ରଦାନ କରାଯାଇଛି । ସଂପୃକ୍ତ ଉପଖଣ୍ଡ ଚିକିିତ୍ସାଳୟରେ ମାଗଣା ମୂଲ୍ୟବାନ ଔଷଧ ଯୋଗାଣ, ବିଭିନ୍ନ ରୋଗର ନିଦାନ, ବିନା ମୂଲ୍ୟରେ ରକ୍ତ, ମଳ, ମୁତ୍ର, କଫ, ଗର୍ଭ ଭଳି ବିଭିନ୍ନ ରୋଗର ପରୀକ୍ଷା, ନିରାମୟ ଯୋଜନା, ମାତୃ ଓ ଶିଶୁ ସୁରକ୍ଷା ସେବା, ପ୍ରସବ ଯୋଗ, କାଉନସେଲିଂ ସେବା, ଟିକାକରଣ ଇତ୍ୟାଦି କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କ୍ଷେତ୍ରରେ ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପରିପ୍ରେକ୍ଷୀରେ ଏହାକୁ ଅନୁଧ୍ୟାନ କରି ଆଇଏସଓ ୯୦୦୧: ୨୦୧୫ ମାନ୍ୟତା ପ୍ରଦାନ କରାଯାଇଛି ।

ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଦୀର୍ଘବର୍ଷ ପରେ ଏଭଳି ଏକ ମର୍ଯ୍ୟଦାପୁର୍ଣ୍ଣ ସମ୍ମାନ ପ୍ରାପ୍ତ କରିଥିବାରୁ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପ୍ରତିଭା ପାତ୍ର, ବରିଷ୍ଠ ଚିକିତ୍ସକ ତଥା ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗୀୟ ବିଶେଷଜ୍ଞ ଡ଼ାକ୍ତର ମାଧବ କୁମାର ସାହୁ, ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ଦୁର୍ଗାପ୍ରସାଦ ପଣ୍ଡା, ଦନ୍ତ ଚିକିତ୍ସକ ଡ଼ାକ୍ତର ତାପସ କୁମାର ଶିଅଳ, ଡ଼ାକ୍ତର ବଳରାମ ଜେନା, ଡ଼ାକ୍ତର ପ୍ରିୟଙ୍କା ଦାଶ, ସୋନାଲି ଗୁପ୍ତା ପ୍ରମୁଖ ଆତ୍ମସନ୍ତୋଷ ଲାଭ କରିବା ସହ ବହୁତ ଖୁସି ଅନୁଭବ କରିଛନ୍ତି । ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟ ଆଇଏସଓ ୯୦୦୧: ୨୦୧୫ ମାନ୍ୟତା ଲାଭ କରିବା ଦିଗରେ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଫାର୍ମାସିଷ୍ଟ, ଷ୍ଟାପନର୍ସ, ଏଏନଏମ, ପାଥୋଲୋଜିଷ୍ଟ, ସୁପରଭାଇଜର, ହେଲପ ଡ଼େସ୍କ, ଆଟେଣ୍ଡାଂଟ, ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଅବଦାନ ଅତୁଳନୀୟ ବୋଲି ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପାତ୍ର କହିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ )