ଋଣ ଓ ଚାକିରୀ କରାଇ ଦେବା ନାମରେ ୧୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ, ୪ କୋର୍ଟ ଚାଲାଣ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ହିଞ୍ଜିଳିକାଟୁ  :-   ହିଞ୍ଜିଳି ଥାନା କାଞ୍ଜିଆମା ଓ ସିକରି ଗ୍ରାମର ୩୯ଜଣ ମହିଳା ଓ ଶିକ୍ଷିତ ଯୁବକଙ୍କୁ ଗରୀବ କଲ୍ୟାଣ ଯୋଜନାରେ ଋଣ ଏବଂ ଚାକିରୀ କରାଇ ଦେବା ନାମରେ ଠକେଇ ହୋଇଛି । ଏ ନେଇ ସଂପୃକ୍ତ ଗ୍ରାମର ଠକେଇର ଶୀକାର ହୋଇଥିବା ମହିଳା ଓ ଯୁବକ ମାନେ ହିଞ୍ଜିିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ ୪/୨୧ରେ ଏକ ମାମଲା ରୁଜୁ କରି ୨ ଦମ୍ପତି (୪ଜଣ)ଙ୍କୁ ପୁଲିସ ଗିରଫ କରିଛି । ଗିରଫ ମାନେ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ମାଧବ ଜେନା, ତାଙ୍କରି ସ୍ତ୍ରୀ ବନିତା ଜେନା ଓ କୋଦଳା ଥାନା ଡ଼େଙ୍ଗାପଦର ଗ୍ରାମର ସୁଜିତ କୁମାର ପ୍ରଧାନ, ତାଙ୍କରି ସ୍ତ୍ରୀ ଅନିତା ପ୍ରଧାନ । ଗିରଫଙ୍କୁ ବୁଧବାର ଶେରଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ଗତ ମାର୍ଚ୍ଚ ୨୦୨୦ରେ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ୩୭ ଜଣ ମହିଳା ଓ ଶିକ୍ଷିତ ଯୁବକ ଓ ସିକିରି ଗ୍ରାମର ୨ ଶିକ୍ଷିତ ଯୁବକଙ୍କ ଠାରୁ

ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ଋଣ ପ୍ରଦାନ ସହ ସରକାରୀ ଚାକିରି କରାଇ ଦେବା ନାମରେ ୩୯ ଜଣ ମହିଳା ଓ ଶିକ୍ଷିତ ଯୁବକ ମାନଙ୍କ ଠାରୁ ୧୧ଲକ୍ଷ ୨୨ହଜାର ଟଙ୍କା ଠକେଇ କରି ନେଇ ଚାଲି ଯାଇଥିଲେ । ଦୀର୍ଘ ୮ମାସ ଧରି ଋଣ ପ୍ରଦାନ କରାନଯିବା ଏବଂ ସରକାରୀ ଚାକିରି କରାଇ ନଦେବା ଯୋଗୁଁ ଉଭୟ ଦମ୍ପତିଙ୍କୁୂ ସଂପୃକ୍ତ ମହିଳା ଓ ଯୁବକ ମାନେ ଫୋନ ଯୋଗେ ପ୍ରଶ୍ନ କରିବା ସହ ସେମାନଙ୍କ ଠାରୁ ନେଇଥିବା ଟଙ୍କା ଫେରାଇବାକୁ କହିଥିଲେ । ଉଭୟ ଦମ୍ପତି ନେଇଥିବା ଟଙ୍କା ଫେରସ୍ତ କରିବା ବଦଳରେ ଟଙ୍କା ବିଷୟରେ କିଛି ଜାଣିନଥିବା କହିବା ସହ ସେମାନଙ୍କୁ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଅନ୍ୟଉପାୟ ନପାଇ ଘଟଣା ନେଇ ଠକେଇର ଶୀକାର ହୋଇଥିବା ଉଭୟ ଗ୍ରାମର ୩୯ ଜଣ ମହିଳା ଓ ଶିକ୍ଷିତ ଯୁବକ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।( ରିପୋର୍ଟ –ଶୁସାନ୍ତ ପ୍ରଧାନ )