କଟକଣା ପାଇଁ ହେଲମେଟ ବେପାରୀ ମାଲାମାଲ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ହିଞ୍ଜିଳିକାଟୁ :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୂର୍ଘଟଣାକୁ ରୋକିବା ପାଇଁ ଚଳିତ ଇଂରାଜୀ ନୂତନ ବର୍ଷ ଆରମ୍ଭରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିଛନ୍ତି । ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଅଙ୍କୁଶ ଲଗାଇବା ସକାଶେ ପୁଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନ ଗୁଡ଼ିକରେ ଯାନବାହାନ ଯାଂଚ କାର୍ଯ୍ୟକୁ କଡ଼ାକଡ଼ି କରାଯିବା ସହ ପ୍ରତ୍ୟହ ମୋଟା ଅଙ୍‌ଖର ଜୋରିମାନା ଆଦାୟ କରାଯାଉଛି । ଦୁଇ ଚକିଆ ଯାନ ଚାଳକ ଓ ସହଯାତ୍ରୀଙ୍କ ପାଇଁ ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ଏହାକୁ ଅମାନ୍ୟ କରୁଥିବା ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି । ୩ମାସ ମଧ୍ୟରେ ଜୋରିମାନା ଅର୍ଥ ପୈଠ ନକଲେ ସଂପୃକ୍ତ ଚାଳକଙ୍କ ଗାଡ଼ି ଚାଳନା ପ୍ରମାଣ ପତ୍ରକୁ ବାତିଲ କରାଯିବ ବୋଲି ଜଣାପଡ଼ିଛି । ହେଲମେଟ କଟକଣା ଲାଗୁ କରାଯିବା ପରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ହେଲମେଟ ଦୋକାନ ଗୁଡ଼ିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି ।

ରାସ୍ତା କଡ଼ରେ ବିକ୍ରି କରୁଥିବା .ହେଲମେଟ ବ୍ୟବସାୟୀ ମାନେ ଏହାର ଭରପୁର ଫାଇଦା ଉଠାଉଥିବାର ଦେଖିବାକୁ ମିଳୁଛି । ରାଜସ୍ଥାନ ଓ ଦିଲ୍ଲୀ ଅଂଚଳରୁ କିଛି ହେଲମେଟ ବ୍ୟବସ୍ୟାୟୀ ଗତ କିଛି ଦିନ ହେଲା ହିଞ୍ଜିଳିକାଟୁ ସହରର କଲେଜ ଛକ, ଘୋଡ଼ାହାଡ଼ ସେତୁ ନିକଟସ୍ଥ ଅଂଚଳରେ ବ୍ୟବସାୟ କରୁଥିବାର ଦେଖିବାକୁ ମିଳୁଛି । ସଂପୃକ୍ତ ଅଂଚଳରେ ବିକ୍ରି କରାଯାଉଥିବା ହେଲମେଟ ଗୁଡ଼ିକରେ ଆଇଏସଆଇ ମାର୍କାର ଲୋଗ ଲଗାଯାଇଥିବା ବେଳେ ସଂପୃକ୍ତ ହେଲମେଟ ଗୁଡ଼ିକ କେତେ ପରିମାଣରେ ଶକ୍ତ ତାହା ନପରଖିଲେ ଜାଣିବା ମୁସ୍କିଲ । ନିଜ ଜୀବନର ସୁରକ୍ଷା ଅପେକ୍ଷା ପୁଲିସ ଚେକିଂରୁ ବର୍ତିବା ପାଇର୍ ଲୋକେ ଏଭଳି ନକଲି ହେଲମେଟକୁ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ପ୍ରକୃତପକ୍ଷେ ଦୂର୍ଘଟଣା ସମୟରେ ଏହା କେତେ ପରିମାଣରେ ନକଲି ତାହା ଜଣାପଡ଼ୁଛି । ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ –ଶୁସାନ୍ତ ପ୍ରଧାନ )