ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କ୍ରୀଡ଼ା; ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗର ସମୀକ୍ଷା ବୈଠକ

ସିସି କ୍ୟାମେରା ଜରିଆରେ ହେବ ପୁରୀ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ତଦାରଖ । ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍ସ କେମପ୍ଲକ୍ସ, ଇନ୍‌ଡୋର ହଲ୍‌ ଏବଂ ହଷ୍ଟେଲ୍‌ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ।

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) ଭୁବନେଶ୍ୱର :- ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗୀୟ କାର୍ଯ୍ୟ ଏବଂ ୫-‘ଟି’ କାର୍ଯ୍ୟସୂଚୀ ଅନୁ ପାଳନ ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାମଚଣ୍ଡୀସ୍ଥିତ ଇକୋ ରିଟ୍ରିଟ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅଧିକାରୀ ଏବଂ ପିଏମ୍‌ୟୁ ଅଧିକାରୀମାନଙ୍କ ସହିତ ପୁରୀରେ ଚାଲିଥିବା ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିଥିଲେ ।

ପରେ ପୁରୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତଦାରଖ ପାଇଁ ଅଚାନକ ଗସ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ପେଣ୍ଠକଟା ଏବଂ ତାଳବଣିଆ ଠାରେ ଥିବା ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍ସ କମପ୍ଲେକ୍ସର ବହୁମୁଖୀ ଇନ୍‌ଡୋର ହଲ୍‌ ଏବଂ ସ୍ପୋଟର୍ସ ହଷ୍ଟେଲ୍‌ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ ଏବଂ କ୍ରୀଡ଼ା ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ନିର୍ମାଣର ମାନ ବଜାୟ ରଖି ସମୟ ଅବଧି ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲାଗି ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ସହିତ କ୍ରୀଡ଼ା ଭିତ୍ତିଭୂମି ଯେପରି ଶୀଘ୍ର କ୍ରୀଡ଼ବିତ୍‌ଙ୍କ କାର୍ଯ୍ୟରେ ଲାଗିବ ସେ ନେଇ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀ ଏବଂ ଦାୟିତ୍ୱରେ ଥିବା ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ନିର୍ମାଣ କାର୍ଯ୍ୟର ସଠିକ୍‌ ତଦାରଖ ଲାଗି ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ବୈଠକ ରେ ୫-‘ଟି’ ସୂତ୍ର ଆକାରରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟ ପନ୍ଥା ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।