ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନରେ ଲକ୍ଷ୍ମୀ ପୁରାଣ ପାରାୟଣ

ଓଡ଼ିଶା ତାଜା ନ୍ୟୁଜ (୨୫ ଡିସେମ୍ବର ଶୁକ୍ରବାର ) କଳାହାଣ୍ଡି :-  ନର୍ଲା ବ୍ଳକ ଅନ୍ତର୍ଗତ ପଲସାପଡା ଗ୍ରାମବାସୀ ଓ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନର ସହଯୋଗ କ୍ରମେ ମହାଲକ୍ଷ୍ମୀ ପୂଜା ସହ ଲକ୍ଷ୍ମୀ ପୁରାଣ ପାରାୟଣ ଉକ୍ତ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ଲପକ୍ଷର ଦଶମୀ ତିଥିରେ ଗୁରୁବାର ପଡ଼ିବାରୁ ଏଥର ମାର୍ଗଶିର ମାଣବସାରେ ଗୃହିଣୀ ମାନେ ସୁଦଶା ବ୍ରତ ପାଳନ କରୁଥିବାରୁ ପୂଜା ସ୍ଥଳୀ ଚଳଚଞ୍ଚଳ ହୋଇଥିଲା । ଗତ ୨୩ ତାରିଖ ବୁଧବାର ଦିନ କଳସ ଯାତ୍ରା ଓ ଗୁରୁବାର ଦିନ ମହାଲକ୍ଷ୍ମୀ ପୂଜା ଏବଂ ସୁଦଶା ବ୍ରତ ଗାଁର ମହିଳା ମାନେ ନିଷ୍ଠାର ସହ ପାଳନ କରିଥିଲେ ।

ପୂଜାର୍ଚ୍ଚନାରେ କର୍ତ୍ତା ହିମାଞ୍ଚଳ ନାଏକ ତାଙ୍କ ଧର୍ମ ପତ୍ନୀ ବୈଜୟନ୍ତି ନାଏକ,ପୂଜକ ବିନୋଦ ମିଶ୍ର ଓ ଲକ୍ଷ୍ମୀ ପୁରାଣ ପାରାୟଣର ଗାୟିକା ସୁଶ୍ରୀ କବିତା ସା ପୁରାଣ ପଠନ କରି ଶ୍ରଦ୍ଧାଳୁ ଭକ୍ତଙ୍କ ମନକୁ ଜିଣିଥିଲେ । ପୂଜା ଆୟୋଜକ କମିଟିର ସଭାପତି ଅମିତ ନାଏକ, ସମ୍ପାଦକ ଆଶିଷ ନାଏକ , ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ସହ ଲକ୍ଷ୍ମୀ ପୁରାଣ ପାରାୟଣ ସମାପ୍ତ ହୋଇଥିଲା । (ରିପୋର୍ଟ କଳାହାଣ୍ଡି ବ୍ୟୁରୋ ପ୍ରଦୀପ କୁମାର ଗଉଡ)