ଭୁବନେଶ୍ୱର ମିଡିଆ ସ୍ପୋର୍ଟସ୍ କ୍ଳବ ଜର୍ସି ଉନ୍ମୋଚନ

ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର )ଭୁବନେଶ୍ୱର /ରିପୋର୍ଟ ଅଭିମନ୍ୟୁ ମହାରଣା :- ଭୁବନେଶ୍ୱର ମିଡିଆ ସ୍ପୋର୍ଟସ କ୍ଲବ୍‌ (ବିଏମ୍‌ଏସ୍‌ସି)ର ଜର୍ସି ଉନ୍ମୋଚନ ରବିବାର ଅନୁଷ୍ଠିତ ହୋଇ ଯାଇଛି । ନବଗଠିତ ଏହି କ୍ରୀଡ଼ା କ୍ଲବ୍ ଖେଳର ବିକାଶ ଦିଗରେ କାର୍ଯ୍ୟ କରିବା ସହ ବିଭିନ୍ନ କ୍ରୀଡ଼ା‌ ପ୍ରତିଯୋ ତାରେ ମଧ୍ୟ ଅଂଶଗ୍ରହଣ କରିବ । କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ଏହି କ୍ଲବ୍‌ର ଜର୍ସି ଭାରତୀୟ କ୍ରିକେଟ୍ ଦଳର ଜର୍ସିରୁ ପ୍ରେରଣା ନେଇ ନୀଳ ରଙ୍ଗର ରଖାଯାଇଛି ।

ରବିବାର କ୍ଲବ୍‌ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭବିଷ୍ୟତ ଯୋଜନା, ଅଭ୍ୟାସ ଏବଂ ଅନ୍ୟାନ୍ୟ ଯୋଜନା ନେଇ ସଦସ୍ୟମାନେ ଚର୍ଚା କରିଥିଲେ । ସେହିଭଳି କ୍ଲବର ଫେସବୁକ୍ ଓ ଟ୍ବିଟର ପୃଷ୍ଠା ସହ ଇନଷ୍ଟାଗ୍ରାମ ପୃଷ୍ଠା ଉନ୍ମୋଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଖୁବଶୀଘ୍ର କ୍ଲବ୍‌ ରାଜ୍ୟରେ ଆୟୋଜିତ ହେଉଥିବା ବିଭିନ୍ନ ସୌଖିନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ନିଜ ତରଫରୁ ମଧ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ପାଇଁ ପଦକ୍ଷେପ ନେବ । କ୍ଲବ୍‌ର ଅନ୍ୟଏକ ଲକ୍ଷ୍ୟ ହେଉଛି ସାଧାରଣ ଜନତାଙ୍କୁ ଫିଟନେସର ବାର୍ତ୍ତା ଦେବା । ସେହିଭଳି ସାମାଜିକ ଗଣମାଧ୍ୟମର ବିନିଯୋଗ କରି ସୁସ୍ଥ ଓ ନିରୋଗ ରହିବାର ମନ୍ତ୍ର ବାଣ୍ଟିବା ।

ରବିବାର ଅନୁଷ୍ଠିତ ବୈଠକରେ ବିଭିନ୍ନ ଗଣମାଧ୍ୟମର ୧୫ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ । କ୍ଲବ୍‌ର ପରବର୍ତ୍ତୀ ବୈଠକ ଚଳିତମାସ ୨୭ ତାରିଖରେ ଅନୁଷ୍ଠିତ ହେବ ଏବଂ ଏଥିରେ କିଛି ବରିଷ୍ଠ ତଥା ଅଭିଜ୍ଞ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଇ କ୍ରୀଡ଼ା ବିକାଶ ନେଇ ଆଲୋଚନା ଚକ୍ର ଆୟୋଜନ କରାଯିବ ବ‌ୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି ।