ଶୀତରୁ ରକ୍ଷାପାଇଁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବାଂଟିଲେ ଶିକ୍ଷାବିତ ଅଶ୍ୱିନୀ ଦାସ ସାଧୁ ଉଦ୍ୟମପାଇଁ କୃତଜ୍ଞତା ଜଣାଇଲେ ଅଂଚଳବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର ) କୋରାଇ :- ଶିକ୍ଷକତା ଥିଲା ପେଶା; ମାନବ ସେବା କରିବା ତାଙ୍କର ନିଶା । ଶିକ୍ଷାଦାନ କରି ଅନେକ ପିଲାଙ୍କୁ ମଣିଷ କରିବାରେ ଭୂମିକା ନିର୍ବା କରିଥିବା ଅଶ୍ୱିନୀ ସାର୍ ସମସ୍ତଙ୍କ ପ୍ରିୟ ପାଲୋଟି ଯାଇଛନ୍ତି । ସେ ଏବେ ଚାକିରିରୁ ଅବସର ନେଇଥିଲେହେଁ ଶିକ୍ଷାଦାନରୁ ନିବୃତ ରହିନାହଁନ୍ତି କି ଦୁଃସ୍ଥ, ଗରିବ, ଅସହାୟ ମାନାଙ୍କ ସହାୟତା କରିବାର ନିଶା ଛାଡି ନାହାଁନ୍ତି । ସେହି ମହାନୁଭବ ଶିକ୍ଷାସେବକଙ୍କ ଘର କୋରାଇ ବ୍ଲକ ଅନ୍ତର୍ଗତ ତୁଳତୀ ଗ୍ରାମରେ । ସେ ପ୍ରତି ବର୍ଷ ଶୀତଋତୁରେ କୋରାଇ ବ୍ଲକ ଓ ବ୍ୟାସନଗର ମ୍ୟୁନିସିପାଲିଟି ଅଂଚଳର ସାହି ବସ୍ତିରେ ଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଭେଟି ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ନିମନ୍ତେ କମ୍ବଳ ବଂଟନ କରିଥାନ୍ତି ।

ଚଳିତ ବର୍ଷ ମଧ୍ୟ ସୋମବାର ପବିତ୍ର କାର୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀ ଦାସଙ୍କ ସହ ତାଙ୍କ ସହଧର୍ମିଣୀ ମିନାକ୍ଷୀ ମଞ୍ଜରୀ ଦାସ ମିଶି କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତସ୍ଥିତ କୟାଁ ଗ୍ରାମର ଆଦିବାସୀ ଓ ହରିଜନ ସାହିର ୨୮ଜଣ ଗରିବ, ଅସହାୟ ବୃଦ୍ଧା ବୃଦ୍ଧଙ୍କୁ ଭେଟି ଶୀତଦାଉରୁ ରକ୍ଷାନିମନ୍ତେ କମ୍ବଳ ବଂଟନ କରିଛନ୍ତି । ଏଥି ସହିତ ବିଶ୍ୱ କରୋନା ମହାମାରୀରୁ ରକ୍ଷାପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନତା ବାର୍ତ ପ୍ରଦାନ କରିବା ସହ ମାସ୍କ ବଂଟନ କରିଥିଲେ ।

ଶ୍ରୀ ଦାସଙ୍କ ଏହି ସାଧୁ ଉଦ୍ୟମ ପାଇଁ ଅଂଚଳବାସୀ ପ୍ରସଂଶା ପୂର୍ବକ କୃତଜ୍ଞତା ଜଣାଇଥିଲା ବେଳେ ବୁଢାବୁଢୀମାନେ ଆଶୀର୍ବାଦ ପୂର୍ବକ ଧନ୍ୟବାଦ ଜଣାଇଥିଲେ । ଅନୁଷ୍ଠିତ ଏହି ବଂଟନ କାର୍ଯ୍ୟରେ ଶ୍ରୀ ଦାସଙ୍କ ପୁତୁରା ଅରବିନ୍ଦ ଦାସ, ନାତି ଆର‌୍ୟାଂଶୁ ଦାସଙ୍କ ସମେତ ସଂପୃକ୍ତ ଗ୍ରାମର ପର୍ଶୁରାମ ଖିଲାର, ପ୍ରଶାନ୍ତ ବାରିକ, ସମର ଆଦି ଯୁବକମାନେ ସହଯୋଗ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)