ଯୁବତୀଙ୍କ ବିବାହ କରାଇଲେ ଜଗନ୍ନାଥ ଗ୍ରୁପର ସ୍ୱେଚ୍ଛାସେବୀ ; ଏଏସଆଇ ସାଜିଲେ କନ୍ୟା ପିତା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର , ରବିବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚାୟତର ଏକ ସ୍ୱେଚ୍ଛାସେବୀ ସଂଗଠନ ରାଜ୍ୟ ଜୟ ଜଗନ୍ନାଥ ଗୃପ ସଫଳ ଉଦ୍ୟମ ଯୋଗୁଁ ଜଣେ ବାପ ମାଆ ଛେଉଣ୍ଡ ଯୁବତୀଙ୍କ ବିବାହ ସଂପାଦନା ହୋଇପାରିଛି । କିଛି ଯୁବକଙ୍କ ନିରବଚ୍ଛିନ ପ୍ରୟାସ ଯୋଗୁଁ ଏହା ହୋଇ ପାରିଥିବାରୁ ଯୁବକଙ୍କ ସଫଳ ଉଦ୍ୟମକୁ ସାଧାରଣରେ ଭୟସୀ ପ୍ରଶଂସା କରାଯାଇଛି । ଶୁକ୍ରବାର ଦିନ ଯୁବତୀଙ୍କ ବିବାହ ସମାପନ ହୋଇପାରିଥିବା ବେଳେ ପାଣିକୋଇଲି ପୁଲିସର ଜଣେ ଅଧିକାରୀ ଯୁବତୀଙ୍କ ପିତା ସାଜି କନ୍ୟା କରି ମଣିଷ ପଣିଆ ଦେଖାଇଛନ୍ତି । ସାତ କସଳ ଆଠ ଦୀପକୁ ସାକ୍ଷୀ ରଖି ବରଘର ପକ୍ଷ ବିନା ଯୌତୁକରେ ଯୁବତୀଙ୍କୁ ନିଜ ବୋହୂଭାବେ ପାଛୋଟି ନେଇଥିବା ରୋଚକ ଘଟଣା ତଣ୍ଡରା ପଂଚାୟତରେ ଚର୍ଚ୍ଚିତ ହୋଇଛି । ସୂଚନା ମୁତାବକ, ତଣ୍ଡରା ପଂଚାୟତ ବରେଇ ଗ୍ରାମର ଝରଣା ମଲ୍ଲିକଙ୍କ ବାପା ସ୍ୱର୍ଗତ ହାଲୁଆ ମଲ୍ଲିକ ଆଜକୁ ଦଶବର୍ଷ ତଳେ ଅର୍ଥାତ ୨୦୧୦ ମସିହାରେ ଦେହାନ୍ତ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇ ଯାଇଥିଲା ।

ବାପାଙ୍କ ମୃତ୍ୟୁ ବେଳକୁ ଝରଣାଙ୍କୁ ୧୦ବର୍ଷ ହୋଇଥିବା ବେଳେ ତାଙ୍କର ଏକମାତ୍ର ସାନଭାଇଙ୍କ ମାତ୍ର ୪ବର୍ଷ ବୟସ ହୋଇଥିଲେ । ଭାଇ ଭଉଣୀଙ୍କୁ ଦେଖା ରଖା କରିବା ପାଇଁ ପାଖରେ ତାଙ୍କ ମାଆ ଥିଲେ । ହେଲେ ଦଇବ ଦୁଃଖ ଦେଲା ଭଳି ମାଆ ମଧ୍ୟ ୩ବର୍ଷ ତଳେ ଆର ପାରିକୁ ଚାଲିଗଲେ । ମାଆଙ୍କ ମୃତ୍ୟୁ ପରେ ଅନାଥ ହୋଇ ଯାଇଥିଲେ ଭାଇ ଭଉଣୀ । କିପରି ଚଳିବେ ତାହାହି ଥିଲା ମୁଖ୍ୟ ଚିନ୍ତା । ଝରଣା ଜୀନରେ ଘର ସଂସାର କରିବେ କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଥିଲା । ଅଭାବ ଅନାଟରେ ନିଜେ ଚଳିବା କଷ୍ଟକର ହେଉଥିବା ସୟମରେ କିଏ ତାଙ୍କୁ ବିବାହ କରିବ ସେଥିପାଇଁ ଝରଣାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ଏହା ଭିତରେ ତାଙ୍କର ବିବାହର ବୟସ ବି ହୋଇ ଯାଇଥିଲା । ବିନା ଯୌତୁକରେ କିଏବା ତାଙ୍କୁ ବିବାହ କରିବା ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏପରିସ୍ଥଳେ ସାହାରା ହୋଇଥିଲେ ତଣ୍ଡରା ପାଂଚୟତର କିଛି ଉଦୀୟମାନ ଯୁବକ । ରାଜ୍ୟ ଜଗନ୍ନାଥ ଗୃପର କିଛି ସ୍ୱେଚ୍ଛାସେବୀ ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ବିବାହ କରାଇବା ପାଇଁ ଆଗଭର ହୋଇପଡ଼ିଥିଲେ ।

ଏହାର ଭିତରେ ଦୀନଗଦୀ ବ୍ଲକର କିମ୍ଭିରିଗଡ଼ିଆ ଗ୍ରାମର ନୃସିଂହ ମଲ୍ଲିକଙ୍କ ପୁଅ ପରିକ୍ଷୀତ ବିବାହ କରିବାକୁ ସ୧ତି ପ୍ରକାଶ କରିଥିଲେ । ନୃସିଂହ ଝରଣାଙ୍କୁ ଦେଖିବା ପରେ ବିନା ଯୌତୁକରେ ତାଙ୍କୁ ବହୁ କରି ନେବାକୁ ରାଜି ହୋଇ ଯାଇଥିଲେ । ଏଥିପାଇଁ ହିନ୍ଦୁ ରୀତିନୀତି ଅନୁଯାୟୀ ଲଗ୍ନ ହୋଇ ସାରିଥିବା ବେଳେ ଶୁକ୍ରବାର ବାହାଘର ହେବାକୁ ଧାର୍ଯ୍ୟ ହୋଇଥିଲା । ବରପକ୍ଷ ବରେଇ ଗ୍ରାମରେ ପହଂଚିବା ପରେ ଗ୍ରାମର ଏକ ସଂକୀର୍ତନ ମଣ୍ଡଳୀରେ ବିବାହ କାର୍ଯ୍ୟ ସଂପାଦନା ହୋଇଥିଲା । ପାଣିକୋଇଲି ଥାନାର ଏଏସଆଇ ସଞ୍ଜୟକୁମାର ଦାଶ କନ୍ୟା ପିତା ସାଜି କନ୍ୟାଦାନ କରିଥିବା ବେଳେ ଜୟ ଜଗନ୍ନାଥ ଗୃପର ପ୍ରମୁଖ କାର୍ଯ୍ୟକର୍ତା କେଦାର ବିଶ୍ୱାଳ, ଭୁବନ୍ଦ୍ରେ କର, ନରେଶ କୁମାର ପରିଡ଼ା, ମନୋରଞ୍ଜନ ସାହୁ, ସାମାଜିକ କର୍ମୀ ଅକ୍ଷୟ କୁମାର ପରିଡ଼ା, ପ୍ରସନ୍ନ ସ୍ୱାଇଁ, କାମଦେବ ଖଣ୍ଡାଇ, ଅନିରୁଦ୍ଧ ସାହୁ, ପ୍ରସନ୍ନ ସାମଲ, ସାଦୁମଣି ସାହୁ ପ୍ରମୁଖ ଉପସ୍ଥିତ ରହି ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ । କୋଭିଡ କଟକଣା ନିୟମରେ ବାହାଘର କାର୍ଯ୍ୟ ସମ୍ପାଦିତ ହୋଇଥିଲା ବେଳେ ଏକ ନୈଶ୍ୟ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା । ସ୍ୱେଛାସେବୀ ଗ୍ରୃପର ଏପରି ଏପରି ମହତପଣିଆ କାର୍ଯ୍ୟଦେଖି ସ୍ଥାନୀୟ ଅଂଚଳର ଲୋକେ ସାଧୁବାଦ ଜଣାଇଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )