ନବୀନ ଙ୍କ ରସ ପାନ କରିବେ ମକରନ୍ଦ

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ନବୀନ ନିବାସ :- ମୁଁ ଏବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କ ସହ ଅଛି କିନ୍ତୁ ବିଜେଡି ସହ ନାହିଁ । ରାଜ୍ୟସଭା ନିର୍ବାଚନ ବେଳେ କଣ ହେବ ତାହା ମୁଁ କହିପାରିବି ନାହିଁ । ଲୋକେ ମତେ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି । ସେମାନଙ୍କ କାମ ହେବା ଦରକାର ବୋଲି ରାୟଗଡାର ସ୍ୱାଧିନ ବିଧାୟକ ମକରନ୍ଦ ମୁଦୁଲି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବୀନ ନିବାସରୁ ବାହାରିବା ପରେ ସାମ୍ବାଦିକ ମାନଙ୍କ ବିଜେଡିକୁ ସମର୍ଥନ ଦେବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି । ହିଣ୍ଡାଲକୋର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ କମିଟି ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଶ୍ରୀ ମୁଦୁଲି ସୋମବାର ଦିନ ନବୀନ ନିବାସ ଆସିଥିଲେ । ନିଜ ସମର୍ଥନ ମାନଙ୍କ ସହ ଶ୍ରୀ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଚଳିତ ମାସ ୯ ତାରିଖରେ ଅନୁଷ୍ଠିତ ହାଇଲେବୁଲ୍‌ କ୍ଲିୟରାନ୍ସ କମିଟି ୩ ଗୋଟି ପ୍ରକଳ୍ପର ସଂପ୍ରସାରଣକୁ ଅନୁମୋଦନ କରିଛନ୍ତି । ଏଥିରେ ସମୁଦାୟ ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହିତ ୬ ହଜାର ୫ ଶହ ୩୯ଟି ନିଯୁକ୍ତି ସୃଷ୍ଟି ହେବ । ଏହା ମଧ୍ୟରେ ୮ ହଜାର କୋଟି ଟଙ୍କାରେ ରାୟଗଡ଼ା ଜିଲ୍ଲାର କଂସାରୀଗୁଡ଼ା ରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍ ବାର୍ଷିକ ୨୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ଶିଳ୍ପ କରାଯିବ । ଏହି ପ୍ରକଳ୍ପରେ ୪ ହଜାର ୨ଶହ ୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ । ରିପୋର୍ଟ – ସୋନାଲି