ଜଅଙ୍କ ଲାଗିଲାଣି ଜାଆଁଳା କେନ୍ଦ୍ର, କେବେ ଚେଇଁବ ଜିଲ୍ଲା ପ୍ରଶାସନ, ଚାହିଁ ରହିଛନ୍ତି ଢେଙ୍କାନାଳ ବାସୀ

ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର ) ଢେଙ୍କାନାଳ :-  ସହରର ଐତିହାସିକ କୁଞ୍ଜକାନ୍ତ ପୁଷ୍କରିଣୀ ବନ୍ଧ କଡରେ କାହିଁ କେବେଠୁ କୃଷକର ବିକାଶ ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ବିରାଟ ଏରିଆ ପରିସରରେ ଛୋଟ ଛୋଟ ଗାଡିଆ କରି ମାଛ ଜାଆଁଳା ବିକ୍ରୟ କେନ୍ଦ୍ର ସ୍ଥାପନ କରାଯାଇଥିଲା । କିଛି ବର୍ଷ କାର୍ଯ୍ୟକାରୀ ହେବା ପରେ ତା‌ହା ବନ୍ଦ ହୋଇ ଆଜିସୁଦ୍ଧା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଜଅଙ୍କ ଲାଗି ଗଲାଣି ଜାଆଁଳା ବିକ୍ରୟ କେନ୍ଦ୍ର ଫଳକ । ପାଚେରୀ ଫାଟି ଆଁ କଲାଣି । ଦେଖିଲେ ଜଣାପଡ଼ୁଛି କେତେବେଳେ ଘର ବି ଭୁଷୁଡି ପଡିବ । ବର୍ଷ ବର୍ଷ ଧରି ସମସ୍ତଙ୍କ ସାମ୍ନାରେ ଏମିତି ଖତ ଖାଉଛି ଜନସାଧାରଣଙ୍କ ଅର୍ଥ ।

ଏଥିପ୍ରତି ନା ଜିଲ୍ଲା ପ୍ରଶାସନର ନଜର ଅଛି ନା ନିର୍ବାଚନ ବେଳେ ଭୋଟ୍ ନେବାକୁ ଆସୁଥିବା ଜନ ପ୍ରତିନିଧି । ଫଳରେ ପରିତ୍ୟକ୍ତ ଆବର୍ଜ୍ଜନା ଦୁର୍ଗନ୍ଧରେ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ସାମ୍ନାରେ ବନ୍ଧ ଉପରେ ପୌରସଂସ୍ଥାର ଏକ ଫଳକ ଲଗାଯାଇଛି। ସେଥିରେ ଲେଖା ହୋଇଛି ପୋଖରୀରେ ଅଳିଆ ଆବର୍ଜ୍ଜନା ପକାଇବା ଦଣ୍ଡନୀୟ ଅପରାଧ ଏବଂ ୫୦୦ ଟଙ୍କା ଜୋରିମାନା । ଆମ ମୁଖ୍ୟମନ୍ତ୍ରୀ ସୁସ୍ଥ, ସ୍ୱଚ୍ଛ ଓ ସୁଖୀ ଓଡ଼ିଶା ଚିନ୍ତନକୁ ନିଶ୍ଚିତ କରିବା ପାଇଁ ସ୍ବାସ୍ଥ୍ୟ ଯୋଜନା,କୃଷକ ସଶକ୍ତିକରଣ,ଗାଁ ସହର ଉନ୍ନତିକରଣ ଏଭଳି ଅନେକ ଯୋଜନା ମାନ କରି ବିକାଶର କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ଏହାକୁ ଦେଖିଲେ ଲାଗୁଛି ଆଜି ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଦାୟିତ୍ଵ ହୀନତାରୁ ଢେଙ୍କାନାଳ ଜିଲ୍ଲା ବହୁତ ପଛରେ ରହିଛି ।

ସୁନ୍ଦର ପୁଷ୍କରିଣୀ ବନ୍ଧର ଗୋଟିଏ ପଟେ ସରକାରଙ୍କର ବହୁ ଦିନର ଆବର୍ଜ୍ଜନା ପଡି ପରିବେଶକୁ ପ୍ରଦୁଷିତ କରୁଥିବା ବେଳେ ଅନ୍ୟପଟେ ଜୋରିମାନା ଫଳକ,ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେବା ସହ କେବେ ଚେଇଁବ ମତ୍ସ୍ୟ ବିଭାଗ, ଉଦ୍ଧାର ଓ ସ୍ବଚ୍ଛତା ଆଣିବେ ଜିଲ୍ଲା ପ୍ରଶାସନ, ଚାହିଁ ରହିଛନ୍ତି ଢେଙ୍କାନାଳ ବାସୀ । ନଚେତ୍ ବଢୁଥିବା ଜନବସତି ସାଂଗକୁ ଜମି ମାଫିଆମାନେ ଉକ୍ତ ସରକାରୀ ଜମିକୁ କବ୍ଜା କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ( ରିପୋର୍ଟ୍, ଅମର ରଞ୍ଜନ ଦାସ )