ବୁଢୀ ମାଙ୍କ ନୂତନ ମନ୍ଦିର ଓ ପ୍ରତିଷ୍ଠା ଉତ୍ସବ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ନରେନ୍ଦ୍ର କୋଣ ସ୍ଥିତ ଶକ୍ତି ବିହାର ମା ବୁଢୀମା ନାଗା କମିଟି ପକ୍ଷରୁ ମା ବୁଢୀମାଙ୍କ ନୂତନ ମନ୍ଦିର ଓ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ବର କଲ୍ଯାଣ, ମାନବର ସଦଗତି ଅଜ୍ଞାନରୁ ଜ୍ଞାନର ଆଲୋକ ପ୍ରାପ୍ତି ପାଇଁ ସ୍ଥାନୀୟ ବାସିନ୍ଦା ମାନେ ଏହି ମନ୍ଦିର ନିର୍ମାଣ କରିଛନ୍ତି । ମା ବୁଢୀମା ସତୁରି ବର୍ଷ ଧରି ସାହାଡା ଗଛ ମୂଳରେ ପୂଜା ପାଉଥିଲେ । ମାଙ୍କ କରୁଣାରୁ ନୂତନ ମନ୍ଦିର ନିର୍ମାଣ ପରେ ମାଙ୍କ ମୁଖ ସ୍ଥାପନ ସହ ଅନ୍ଯାନ୍ଯ ନୀତି ଅନୁଷ୍ଠିତ ହୋଇଯାଇଛି । ବୈଦିକ ବିଧି ବିଧାନ ଅନୁସାରେ କଳସ ଶୋଭାଯାତ୍ରା କରାଯାଇଥିଲା ।

ନରେନ୍ଦ୍ର ପୁଷ୍କରିଣୀରୁ କଳସରେ ପାଣି ଭର୍ତ୍ତି କରି ଦୁଇଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଏହି ଶୋଭାଯାତ୍ରାରେ ବାଜା ଘଣ୍ଟ ଓ କାହାଳୀ ସହ ମାଙ୍କ ମନ୍ଦିରରେ ପାରମ୍ପରିକ ନୀତିରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ବାଜା ଘଣ୍ଟ ଓ ମୃଦଙ୍ଗ ଧ୍ବନୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଯଜ୍ଞ ପାଇଁ ୨୬ ତାରିଖରେ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିଲା । ୨୭ ତାରିଖରେ ଠାକୁରଙ୍କ ସ୍ନାନ ଓ ଜଳଯାତ୍ରା, ଦେବୀଙ୍କ ସ୍ନାନ ଓ ବିଶ୍ରାମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବ ଯଜ୍ଞରେ କର୍ତ୍ତା ଭାବେ ରାଜକିଶୋର ସିଂହ ଓ କର୍ତ୍ତି ଭାବେ ରାଜଶ୍ରୀ ସିଂହ ଉପସ୍ଥିତ ରହି ସମ୍ପାଦନ କରିଥିଲେ ।

କମିଟିର ସଭାପତି ବାବୁଲି ପ୍ରଧାନ, ଉପସଭାପତି ହୁକୁନା ଦାସ,ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ସହ ସମ୍ପାଦକ ବାବୁନା ଦାସ, କୋଷାଧ୍ଯକ୍ଷ ଏମଡି ରଫିପ ପ୍ରମୁଖ ଏହି ଧାର୍ମିକ କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ବିରଞ୍ଚିନାରାୟଣ ଦାସ,ବଳରାମ ଦାସଙ୍କ ସମେତ କମିଟିର ବହୁ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆସନ୍ତା ୨୮ ତାରିଖ ରବିବାରରେ ଯଜ୍ଞ କାର୍ଯ୍ୟ,ଦେବାଦେବୀଙ୍କ ପୂଜନ, ଘୃତ ଆହୁତି,ସଂଧ୍ଯା ନ୍ଯାସ ଓ ବିଶ୍ରାମ ନୀତି ଅନୁଷ୍ଠିତ ହେବ । ୨୯ ସୋମବାରରେ ନ୍ଯାସ,ଦେବୀ ଯଜ୍ଞ ମଣ୍ଡପରେ ବିଜେ ଓ ଚଣ୍ଡୀପୀଠ ସହ ଆହୁତି ପ୍ରଦାନ କରାଯିବ । ଏଥିସହିତ ନଗର ବିଜେ ଓ ମନ୍ଦିରରେ ମା ବିଜେ କରିବେ । ୩୦ ତାରିଖ ମଙ୍ଗଳବାରରେ ସୂର୍ଯ୍ୟ ପୂଜା, ଗୀତାପାଠ, ବଡସିଂହାର ବେଶ, ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟିର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଛନ୍ତି ।