ବହୁ ଦୂରରେ ବିକାଶ : ଶେଷରେ ଭୋଟ ବର୍ଜନ ନିଷ୍ପତ୍ତି

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଲୋକଙ୍କ ପାଇଁ ଅପହଞ୍ଚ ମୌଳିକ ସୁବିଧା  l ରାଜ୍ୟରେ ଦୀର୍ଘ ଦିନର ସ୍ଥିର ସରକାରରେ ଥାଇ ମଧ୍ୟ ଗାଁକୁ ନାହିଁ ରାସ୍ତାଘାଟ, ପାନୀୟ ଜଳ ଭଳି ମୈଳିକା ସୁବିଧା  l ଗୁହାରି କରିକରି ନିରାଶ ଜନତା, କର୍ଣ୍ଣପାତ କରୁନାଁହାନ୍ତି ନେତା l ଶେଷରେ ଲୋକଙ୍କୁ ଆପଣାଇବାକୁ ପଡୁଛି ଭୋଟ ବର୍ଜନ ଭଳି ଚରମ ପଦକ୍ଷେପ  l ଗୋଟିଏ ପଟେ ଜନପ୍ରତିନିଧି ବିକାଶର ଡିଣ୍ଡିମ ପିଟୁଛନ୍ତି l ଅନ୍ୟପଟେ ଲୋକେ ରାସ୍ତାଘାଟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି l ସମସ୍ୟାକୁ ନେଇ ଲୋକେ ବାରମ୍ବାର ଦାବି ଆନ୍ଦୋଳନ କରୁଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି ଜନପ୍ରତିନିଧି ଓ ପ୍ରଶାସନ l

ଯାହା ଏବେ ବିକାଶ ଓ ଜନସେବାର ଦରଦୀ କଥା କହୁଥିବା ଜନପ୍ରତିନିଧିଙ୍କ ପାରିବା ପଣିଆକୁ ପଦାରେ ପକାଇଛି l ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୂଆଗାଁ ପଂଚାୟତ l ପଞ୍ଚାୟତର ଅନେକ ଗାଁକୁ ନିତିଦିନିଆ ରାସ୍ତା ନଥିବା ବେଳେ ଲୋକମାନଙ୍କ ପାଇଁ ନଦୀ,ଚୁଆ ପାଣି ହିଁ ଭରଷା l ରାସ୍ତା ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଖଟିଆ ଭାରରେ ନେବାକୁ ପଡୁଛି l ସମସ୍ୟାରେ ଜର୍ଜରିତ ଅଞ୍ଚଳବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଜନପ୍ରତିନିଧି କି ସରକାରୀ ବାବୁଙ୍କର ନିଘା ନାହିଁ l

ଶେଷରେ ଭୋଟ ବର୍ଜନ ଭଳି ଚରମ ପଦକ୍ଷେପ ଆପଣାଇବାକୁ ନିଷ୍ପତି ନେଇଛନ୍ତି ଅଞ୍ଚଳବାସୀ l ଲୋକଙ୍କୁ ବୁଝାଇବାକୁ ବ୍ଲକ ପ୍ରଶାସନ ଯାଇଥିଲେ l ହେଲେ ପ୍ରଶାସନର ପ୍ରତିଶ୍ରୁତିରେ ଜନତା ସନ୍ତୁଷ୍ଟି ନହୋଇ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି l ଆଉ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜନସେବାର ଦ୍ୱାହି ଦେଇ ଭୋଟ ଭିକ୍ଷା କରି ନିର୍ବାଚନ ବୈତରଣୀ ପାର ହେଉଥିବା ଜନପ୍ରତିନିଧିଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ l ଆଉ ଲୋକେ କହୁଛନ୍ତି ସମସ୍ୟା ସମାଧାନ କରିବାକୁ ଆଉ କେତେ ବର୍ଷ ଦରକାର l