ବନ୍ୟପ୍ରାଣୀ ଅସୁରକ୍ଷିତ : ବାରାହା ଶିକାରୀ ଚମ୍ପଟ – ତାର ଜବତ

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିନରେ ଥିବା ହିଞ୍ଜିଳିକାଟୁ ସେକ୍ସନ୍ ବନପାଳଙ୍କ କାର୍ଯ୍ୟାଳୟ ଅଞ୍ଚଳରେ ସୋମବାର ରାତ୍ର ପ୍ରାୟ ୭ ରୁ ୮ଘଣ୍ଟା ମଧ୍ୟରେ ବାରହା ଶିକାର ପାଇଁ ବିଛାଯାଇଥିବା ତାରକୁ ବେଲଗାଁ ଥାନା ପୋଲିସ ଜବତ କରିଛି । ଘଟଣା ସ୍ଥଳରୁ ତାର ବିଛାଇବା କାର୍ଯ୍ୟରେ ଲିପ୍ତ ଥିବା ଦୁଇ ଜଣ ବାରାହା ଶିକାରୀ ଚମ୍ପଟ ମାରିଥିବା ବେଳେ କଞ୍ଚୁରୁ ବିଦ୍ୟୁତ ବିଭାଗର ଅଧିକାରୀ, ସ୍ଥାନୀୟ ସରପଞ୍ଚ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଶିକାରୀଙ୍କ ଦ୍ଵାରା ପ୍ରଯୋଜିତ ଏକ ବଡ ଧରଣର ଅଘଟଣରୁ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

କିନ୍ତୁ ଏଭଳି ଏକ ସ୍ପର୍ଶକାତର ଘଟଣା ସମୟରେ ସ୍ଥାନୀୟ ବନପାଳ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ସୂଚନା ମିଳିଛି । ସୂଚନା ମୁତାବକ ବେଲଗାଁ ଥାନା ଡି.ପାଟପୁର ସ୍ଥିତ ୧୧କେଭି ଫିଡର ନିକଟରେ ୨ ଜନ ଅଜଣା ବ୍ୟକ୍ତି ବାରାହା ଶିକାର କରିବା ଉଦ୍ଧେଶ୍ୟରେ ବେଆଇନ ଭାବେ ତାର ସଂଯୋଗ କରି ନିକଟସ୍ଥ ଜମିରେ ତାର ବିଛାଇବାରେ ଲିପ୍ତ ଥିଲେ । ସ୍ଥାନୀୟ ପଥର କ୍ରସରରେ ନିୟୋଜିତ ଥିବା ଜଣେ ଶ୍ରମିକଙ୍କୁ ଦେଖି ଶିକାରୀ ଦ୍ବୟ ତାର ଛାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ଘଟଣା ସଂପର୍କରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ସହ ସ୍ଥାନୀୟ ସରପଞ୍ଚ ମଧ୍ୟ ବେଲଗାଁ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଖବର ପାଇ ଥାନା ଅଧିକାରୀ ଓ ବିଦ୍ୟୁତ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ତାରକୁ ଜବତ କରିଥିଲେ ଏଵଂ ଏ ସଂପର୍କରେ ସ୍ଥାନୀୟ ବନପାଳଙ୍କୁ ମଧ୍ୟ ଜଣାଇଥଲେ। କିନ୍ତୁ ବନପାଳ ସେଠାରେ ଉପସ୍ଥିତ ନ ଥିଲେ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଜଳ ଓ ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲରୁ ବନ୍ୟପ୍ରାଣୀ ମାନେ ଗାଁ ମୁହାଁ ହେଉଥିବା ଜଣାପଡିଛି ।

ଏହାର ସୁଯୋଗ ନେଇ ଜଙ୍ଗଲ ନିକଟସ୍ଥ ଗ୍ରାମର ଶିକାରୀ ମାନେ ବେଆଇନ ଭାବେ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରିବାରେ ଲିପ୍ତ ଥିବା ଜଣାପଡିଛି । ଏଥି ସହିତ କିଛି ଗ୍ରାମରେ ଚାଷୀ ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ ଚାଷ କରିଥିବା ଜଣାପଡିଛି । ଏଣୁ ଖାଦ୍ୟ ଅନ୍ୱେଷଣରେ ବାରହା ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ଚାଷ ଜମି ମୁହାଁ ହୋଇ ଶିକାରୀଙ୍କ ଜାଲରେ ପଡ଼ି ଶିକାର ହେଉଥିବା ନଜିର ରହିଛି । ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା, ସଚେତନତା ମାଧ୍ୟମରେ ବିଭାଗ ତରଫରୁ ଅଜସ୍ର ଟଙ୍କା ବ୍ୟୟ ବରାଦ କରା ଯାଉଛି ।

କିନ୍ତୁ ଯୋଜନାର ସଫଳ ରୂପାୟନ କରିବାରେ ସ୍ଥାନୀୟ ବନପାଳ କେତେ ଦକ୍ଷ ଓ ପାରଙ୍ଗମ ତାହା ସମ୍ପୃକ୍ତ ଘଟଣାରୁ ସ୍ପଷ୍ଟ ହୋଇଛି । ଏଣୁ ହିଞ୍ଜିଳିକାଟୁ ସେକ୍ସନରେ ଥିବା ଜଙ୍ଗଲ ନିକଟସ୍ଥ ଗ୍ରାମରେ ବନ୍ୟଜନ୍ତୁ ଶିକାରୀ ବେଶ ସକ୍ରିୟ ହୋଇ ଅବାଧ ବନ୍ୟଜନ୍ତୁ ଶିକାର କରୁଥିବା ଆଲୋଚନା ହେଉଛି । ଦିନକୁ ଦିନ ବନ୍ୟଜନ୍ତୁ ଶିକାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ ତ ଦୂରର କଥା ବରଂ ଅବହେଳା, ନିଷ୍କ୍ରିୟତା ଯୋଗୁଁ ଶିକାରୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଜଣା ପଡିଛି । ଏଣୁ ସ୍ଥାନୀୟ ଅଞ୍ଚଳରେ ରହୁଥିବା ବନ୍ୟଜନ୍ତୁଙ୍କ ଅବାଧ ଶିକାର ଓ ସେମାନଙ୍କ ସୁରକ୍ଷା ନିମନ୍ତେ ପରିବେଶବିତ୍ ଓ ବନ୍ୟପ୍ରାଣୀ ପ୍ରେମୀ ପିସିସିଏଫ୍ ୱାଇଲ୍ଦ ଲାଇଫଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।