ଆଶ୍ରମ ବିଦ୍ୟାଳୟରେ ନାହିଁ ଶୈଖିକ ବାତାବରଣ , ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

◆ ଭୁଶୁଡୁଛି ଶିକ୍ଷା ବ୍ୟବସ୍ଥା, ୮ଟି ଶ୍ରେଣୀ ପାଇଁ ରହିଛନ୍ତି ୫ ଜଣ ଶିକ୍ଷକ

◆ ନୂଆ ନାମ ଲେଖାଇବାକୁ ଅମଙ୍ଗ, ପୁରୁଣା ବିଦ୍ୟାଳୟ ଛାଡ଼ିବା ପାଇଁ ସଜବାଜ

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :->  ବିଦ୍ୟାଳୟରେ ନାହାଁନ୍ତି ଆବଶ୍ୟକୀୟ ଶିକ୍ଷକ। ଗୋଟିଏ ଶ୍ରେଣୀରେ ପାଠପଢ଼ା ଯାଉଥିବା ବେଳେ ଆଉ ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀ ଚାହିଁ ବସୁଛନ୍ତି। ଶିକ୍ଷାବର୍ଷ ଶେଷ ହେଉଥିଲେ ମଧ୍ୟ ପାଠର କୈାଣସି ନାଁଗନ୍ଧ ନାହିଁ। ଶିକ୍ଷକ ମାନେ ଯେନତେନ କରି ପାଠପଢ଼ାଇ କାମ ସାରି ଦେଉଛନ୍ତି। ଫଳରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି। ଏଭଳି ଶିକ୍ଷା ବ୍ୟବସ୍ଥା ପାଇଁ ଚଳିତବର୍ଷ ଛାତ୍ରୀଛାତ୍ରୀ ବିଦ୍ୟାଳୟରୁ ମୁହଁ ଫେରାଇବାକୁ ବସିଲେଣି। ବର୍ତ୍ତମାନ ନାମ ଲେଖା ଚାଲିଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ନଥିବା ହେତୁ ନୂତନ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଅମଙ୍ଗ ହେଉଥିବା ବେଳେ ପୁରୁଣା ଛାତ୍ରଛାତ୍ରୀ ଅନ୍ୟ ବିଦ୍ୟାଳୟକୁ ଯିବାକୁ ସଜବାଜ ହେଲେଣି। ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଢ଼େୟାପଲ୍ଲୀ ପଞ୍ଚାୟତର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ସୁନ୍ଦରକୁମ୍ପା ଆଶ୍ରମ ବିଦ୍ୟାଳୟରେ।

ଖାଲି ଯେ ଛାତ୍ରଛାତ୍ରୀ ଅମଙ୍ଗ ହେଉଛନ୍ତି ତାହା ନୁହେଁ ଅଭିଭାବକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ ଉକ୍ତ ବିଦ୍ୟାଳୟଟି ୧୯୫୦ ମସିହାରେ ସ୍ଥାପିତ ହୋଇଛି। ପ୍ରଥମ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶିକ୍ଷାଦାନ କରିବାର ବ୍ୟବସ୍ଥା ରହିଛି। ଉକ୍ତ ବିଦ୍ୟାଳୟରେ ଶହେ ଶର୍ଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଥିବା ବେଳେ ଏବେ ପୁଣି ଶହେ ଶର୍ଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ରହିଛି। ବିଦ୍ୟାଳୟରେ ୨ ଶହ ଅନ୍ତେବାସୀଙ୍କ ରହିବା ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି। ଯାହାକି ଗତବର୍ଷ ଉକ୍ତ ବିଦ୍ୟାଳୟରେ ସମୁଦାୟ ଶହେ ୪୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଳଭଦ୍ର ଜାନୀ କହିଛନ୍ତି। ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଥିବା ହେତୁ ପାଠପଢ଼ା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ୁଥିବା ସେ କହିଛନ୍ତି। ବାରମ୍ବାର ଅଭିଯୋଗ ସେତ୍ତ୍ବ କୈାଣସି ବି ସୁଫଳ ମିଳୁନି।

ଫଳରେ ଏବେ ଶିକ୍ଷକ ସମସ୍ୟା ପାଇଁ ନୂତନ ଭାବେ ନାମ ଲେଖାଇବାକୁ ଆସୁଥିବା ଛାତ୍ରଛାତ୍ରୀ ଅମଙ୍ଗ ହୋଇ ମୁହଁ ଫେରାଉଛନ୍ତି। ସେହିଭଳି ପାଠପଢ଼ାରେ ଅବ୍ୟବସ୍ଥା ପାଇଁ ପଢୁଥିବା ଛାତ୍ରଛାତ୍ରୀ ଅନ୍ୟ ବିଦ୍ୟାଳୟକୁ ଯିବାକୁ ସଜବାଜ ହେଲେଣି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଶିକ୍ଷାର ବିକାଶ ଘଟାଇବା ପାଇଁ ସରକାର ଅଣ୍ଟା ଭିଡ଼ୁଥିବା ବେଳେ ଏଭଳି ଶିକ୍ଷକ ସମସ୍ୟା ପାଇଁ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବା ସହ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ମୁହଁ ଫେରାଉଛନ୍ତି। ଏସମ୍ପର୍କରେ ଡ଼ବ୍ଲୁଇଓ ଜ୍ୟୋର୍ତିମୟୀ ନାୟକ କହିଛନ୍ତି ଉକ୍ତ ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା କମ୍ ନେଇ ଆମେ ରିପୋର୍ଟ ଦେଉଛୁ। ଶିକ୍ଷକ ନିଯୁକ୍ତି କରିବା ଦାୟିତ୍ବ ଡ଼ିଡ଼ବ୍ଲୁଓ ଏବଂ ଜିଲ୍ଲାପାଳଙ୍କ ହୋଇଥିବାରୁ ସେ ଯାହା ଏହା ଉପରେ କରି ପାରିବେ ବୋଲି କହିଛନ୍ତି। ଏଦିଗରେ ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସଭାପତି ଶ୍ରୀ ଜାନୀ ଦାବି କରିଛନ୍ତି।