ମେରୁଯାତ୍ରା, ପଣା ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ପାଳିତ

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ  :->  ଗଞ୍ଜାମ ପ୍ରସିଦ୍ଧ ୨୧, ୧୮ଓ ୧୩ ଦିନିଆ ପାରମ୍ପରିକ ମେରୁଯାତ୍ରା ରବିବାର ଏକ ଆଧ୍ୟାତ୍ମିକ ତଥା ଚଳ ଚଞ୍ଚଳ ପରିବେଶ ମଧ୍ୟରେ ପାଳିତ ହୋଇଛି।ଏହି ଭାବ ଓ ଭକ୍ତିମୟ ଯାତ୍ରା ସହ ଜଡ଼ିତ ପଣା ସଂକ୍ରାନ୍ତି ଓ ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ମହାବୀର ଙ୍କ ଜୟନ୍ତୀକୁ ହିଞ୍ଜିଳିକାଟୁ ସହର ଓ ପୁରପଲ୍ଲୀର ସାଧାରଣ ଜନତା ଅତି ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଇଛି। ଦଣ୍ଡ ଯାତ୍ରାରେ ସାମିଲ ହୋଇଥିବା ଦଣ୍ଡୁଆ ଦଳ ପ୍ରାତଃରୁ ପ୍ରସ୍ତୁତ ହୋଇ ମେରୁଯାତ୍ରା ସକାଶେ ସମବେତ ହୋଇଥିଲେ। ପରେ ମାଁ କାଳୀଙ୍କ ପଟ୍ଟଚିତ୍ର, ହର ପାର୍ବତୀଙ୍କୁ ମସ୍ତକରେ ଧାରଣ କରି ନଗର ପରିକ୍ରମା କରିଥିଲେ।

ମାଁ ଙ୍କ ଆଗମନ ଉପଲକ୍ଷେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା ଓ କୃପାଭିକ୍ଷା କରିଥିଲେ। ପରେ ଦଣ୍ଡୁଆମାନେ ଧୂଳି ଦଣ୍ଡ ଓ ପାଣି ଦଣ୍ଡ ନୀତି ସମାପନ କରି ମେରୁ ଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ। ନିଷ୍ଠା ଓ ଭକ୍ତି ସହ ସମସ୍ତ ରୀତିନୀତି ଅନୁଯାୟୀ ମାଁ ଓ ପାଟଭୁକ୍ତାଙ୍କୁ ମେରୁଯାତ୍ରା ସ୍ଥଳକୁ ଆବାହନ କରାଯାଇଥିଲା। ଭୁକ୍ତାଙ୍କ ସାଷ୍ଟାଂଗ ପ୍ରଣିପାତ, ଭକ୍ତଙ୍କ ଭାବାବେଗ, ଆତୁର ପ୍ରାର୍ଥନା ମଧ୍ୟରେ ପାଟଭୁକ୍ତାଙ୍କୁ ମେରୁ ଖମ୍ବରେ ଚଢ଼ା ଯାଇଥିଲା। ଢୋଲ ବାଦ୍ୟ, ହୁଳୁହୁଳି, ଘଣ୍ଟ ଓ ତୁରି ସହ ଶଙ୍ଖ ନାଦରେ ମେରୁ ଯାତ୍ରା ସ୍ଥଳ ପ୍ରକମ୍ପିତ ହୋଇଥିଲା। ମାଁ ଙ୍କ ପୂଜାର୍ଚ୍ଚନା କରି ଭକ୍ତ ଓ ଶ୍ରଦ୍ଧାଳୁମାନେ କୃପା ଭିକ୍ଷା କରିଥିଲେ।

ଅନୁରୂପ ଭାବେ ଜନସମାଗଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୌର ପରିଷଦ ଓ ଅନ୍ୟାନ୍ୟ ସ୍ବେଛାସେବୀ ସଂଗଠନ ପକ୍ଷରୁ ସ୍ଵାଦିଷ୍ଟ ପାନୀୟ, ପାନୀୟ ଜଳ, ପଣା ବିତରଣ ହୋଇଥଲା। ସ୍ଥାନୀୟ ସହର ଓ ବିଭିନ୍ନ ଗ୍ରାମରେ ପୂଜିତ ପ୍ରଭୁ ଶ୍ରୀ ମହାବୀର ଙ୍କ ଜୟନ୍ତୀ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି। ଶ୍ରୀ ବିଗ୍ରହଙ୍କୁ ରୀତିନୀତି ଅନୁଯାୟୀ ସୁଗନ୍ଧିତ ପୁଷ୍ପ,ଫଳ ଓ ମିଷ୍ଟାନ୍ନ ଆଦି ଅର୍ପଣ କରି ପୂଜାର୍ଚ୍ଚନା ନୀତି ସମ୍ପନ୍ନ ହୋଇଥଲା। ବାଦ୍ୟ, ଶଙ୍ଖ ନାଦ ସହ ମନ୍ତ୍ର ଧ୍ଵନୀ ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀ ମହାବୀରଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରିଥିଲେ। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।