ମାନସିକ ରୋଗୀକୁ : ପିଲା ଚୋର ସଜାଇଲେ ଗ୍ରାମବାସୀ – ଉଦ୍ଧାର କରିବାକୁ ଯାଇଥିବା ପୁଲିସ ଅଧିକାରି ହଟହଟା

୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଓଡ଼ଗାଁ :->  ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଭାଲିଆଡ଼ିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖିବା ସହିତ ଗଛରେ ବାନ୍ଧି ପିଟି ଥିଲେ। ଖବରପାଇ ଶରଣକୁଳ ପୁଲିସ ଘଟଣା ସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ହଟହଟା ହୋଇଛି। ଗ୍ରାମବାସୀମାନେ ପୁଲିସ ଗାଡ଼ିକୁ ଅଟକାଇବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଥିଲେ। ସୂଚନାଯୋଗ୍ୟ, ଗତକାଲି ରାତିରେ ଭାଲିଆଡ଼ିହି ଅଂଚଳରେ ଜଣେ ଯୁବକ ବୁଲୁଥିବା ଦେଖି ଗ୍ରାମବାସୀମାନେ ପିଲାଚୋର ଭାବି ସନ୍ଦେହ କରିଥିଲେ।

ଲୋକମାନେ ଯୁବକଙ୍କୁ ଅଟକାଇ ଖାନତଲାସୀ କରିବା ପରେ ତାଠାରୁ ଏକ ବ୍ଲେଡ଼ ଓ ଛୁରୀ ପାଇବା ପରେ ସନ୍ଦେହ ବଢିଥିଲା। ଗ୍ରାମବାସୀମାନେ ମେଳିବାନ୍ଧି ଯୁବକଙ୍କୁ ପଂଚାୟତ କାର୍ଯ୍ୟାଳୟ ଆଗରେ ଏକ ଗଛରେ ବାନ୍ଧି ମାଡ଼ ମାରିବା ସହିତ ପ୍ୟାଣ୍ତସାର୍ଟ ଚିରି ଦେଇଥିଲେ। ଖବରପାଇ ଶରଣକୁଳ ଥାନା ଅଧିକାରୀ ପୁଷ୍ପଲତା ବେହେରା ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରିବା ସମୟରେ ଉତ୍ୟକ୍ତ ଲୋକେ ପୁଲିସକୁ ଛାଡ଼ିନଥିଲେ। କାର୍ଯ୍ୟାନୁଷ୍ଠାନ ଦାବିରେ ପୁଲିସ ଗାଡ଼ିକୁ ଅଟକାଇବା ସହିତ ଗାଡ଼ି ଆଗରେ ବସିଥିଲେ। କିଛି ସମୟ ପର୍ଯ୍ୟନ୍ତ ଅପ୍ରିତିକର ପରିସ୍ଥିତି ଦେଖା ଦେଇଥିଲା।

ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୃତି ଦେବା ପରେ ଗ୍ରାମବାସୀମାନେ ପୁଲିସ ଗାଡ଼ିକୁ ଛାଡ଼ି ଦେଇଥିଲେ। ପୁଲିସ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ସେ ଜଣେ ମାନସିକ ରୋଗୀ ବୋଲି ଜଣା ପଡ଼ିଥିଲା। ଯୁବକଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ ବୋଲି ଯୁବକ କହିଥିଲେ। ଆଜି ସକାଳୁ ଯୁବକଙ୍କୁ ପୁଲିସ ସହାୟତାରେ ବୁଗୁଡ଼ା ଗ୍ରାମରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଏନେଇ ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ପୁଲିସ କହିଛି।