ହିଞ୍ଜିଳିକାଟୁ ପୌରାଞ୍ଚଳରେ ଆରମ୍ଭ ହେଲା ପାନୀୟ ଜଳ ସେବା କେନ୍ଦ୍ର

୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ  :-> ତାତିର ପ୍ରକୋପରେ ଏବେ ସାରା ରାଜ୍ୟ ସିଝୁଛି। ଗ୍ରୀଷ୍ମ ଲହର ହେତୁ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡିଶାର ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ରାଜ୍ୟରେ ପାରଦ ଦିନକୁ ଦିନ ଉପର ମୁହାଁ ହୋଇଛି। ଟାଣ ଖରା ସାଙ୍ଗକୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ କଲବଲ କରୁଛି। ତାତି ବୃଦ୍ଧି ସହ ଗୁଳୁଗୁଳି ଅନୁଭୁତ ହେଉଥିବା ଯୋଗୁଁ ଲୋକେ ପଦାକୁ ବାହାରିବା କଷ୍ଟକର ହୋଇଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସ୍ଵତନ୍ତ୍ର ରିଲିଫ କମିଶନର ଏଥିପ୍ରତି ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦୋନୁସାରେ ପୌର ପରିଷଦ ହିଞ୍ଜିଳିକାଟୁ ପକ୍ଷରୁ ପାନୀୟ ଜଳ ସେବା କେନ୍ଦ୍ର ଆରମ୍ଭ ହୋଇଛି। ବୁଧବାର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ପୌରାଞ୍ଚଳର ପ୍ରମୁଖ ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୫ ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ସେବା କେନ୍ଦ୍ର ଆରମ୍ଭ ହୋଇଥଲା।

ବସ ରହଣୀ ସ୍ଥଳ ଓ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଉପସ୍ଥିତ ଥିବା ପଥଚାରୀ, ତୃଷାର୍ତ୍ତ ବାଟୋଇ ଓ ଦୂର ଦୁରାନ୍ତରୁ ଆସୁଥିବା ସାଧାରଣ ଲୋକଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇବା ପାଇଁ ପୌର ପରିଷଦ ପକ୍ଷରୁ ଆବଶ୍ୟକୀୟ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏଥି ସହିତ ଟାଣ ଖରାରେ ପଦାକୁ ନ ବାହାରିବା, ଜରୁରୀ କାମ ପଡ଼ିଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏଵଂ ଛତା ବ୍ଯବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ସାଙ୍ଗରେ ପାଣି ବୋତଲ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା ପାଇଁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମରେ ପୌର ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲୀପ କୁମାର ମିଶ୍ର , ପୌର କର୍ମଚାରୀଙ୍କ ସହିତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନ ସାଧାରଣ ଉପସ୍ଥିତ ଥିଲେ।