ଶ୍ରୀ ଶ୍ରୀ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ଜୀର୍ଣ୍ଣୋଦ୍ଧାର ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ  :->  ହିଞ୍ଜିଳିକାଟୁ ପୌରାଞ୍ଚଳ ବରାହୀ ପାହାଡ଼ ପାଦ ଦେଶରେ ପୂଜା ପାଉଥିବା ଶ୍ରୀ ଶ୍ରୀ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ଜୀର୍ଣ୍ଣୋଦ୍ଧାର ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ସୋମବାର ଏକ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଛି। ପୂର୍ବଖଣ୍ଡ ତାଲୁକା ବିଶ୍ଵକର୍ମା ମନ୍ଦିର ଉନ୍ନୟନ ଟ୍ରଷ୍ଟ, ହିଞ୍ଜିଳିକାଟୁ ତରଫରୁ ଗତ ଗୁରବାର ଠାରୁ ଆରମ୍ଭ ହୋଇଥିବା ୫ ଦିନାତ୍ମକ ପ୍ରତିଷ୍ଠା ମହୋତ୍ସବରେ ପ୍ରାତଃ ଜଳଯାତ୍ରା, ଦୀକ୍ଷା, ଅଙ୍କୁରା ରୋପଣ, ବନଯାଗ, ରତ୍ନମୁଦ, ନାମଯଜ୍ଞାରମ୍ଭ, କର୍ମାରମ୍ଭ, ଶାଲା ସଂସ୍କାର, ଅଗ୍ନି ସ୍ଥାପନ,

ଧାନ୍ୟାଧିବାସ, ବିଗ୍ରହ ଓ ପ୍ରାସାଦ ଅଧିବାସ, ମହାସ୍ନାନ, ରାତ୍ର ଜୀବନ୍ୟାସ, ଦେବତା ନଗର ଭ୍ରମଣ, ସିଂହାସନାରୋହଣ, ଧ୍ଵଜ ଭ୍ରମଣ, ନାମଯଜ୍ଞ ସମାପନ,ଦଧିଭାଣ୍ଡ ଭଞ୍ଜନ ଓ ପୂର୍ଣ୍ଣାହୁତି ଆଦି ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ଆୟୋଜିତ ହୋଇଥିଲା। ମହୋତ୍ସବ ପ୍ରାରମ୍ଭରୁ ସୁରମ୍ୟ ମନ୍ଦିର ସହିତ ଦେବଶିଳ୍ପୀ ଶ୍ରୀ ଶ୍ରୀ ବିଶ୍ଵକର୍ମାଙ୍କ ସୁରମ୍ୟ, ଚିତ୍ତାକର୍ଷକ ଓ ଦିବ୍ୟ ପ୍ରତିମାକୁ ପଦ୍ମ ପୁଷ୍ପ ଓ ଅନ୍ୟାନ୍ୟ ସୁଗନ୍ଧିତ ପୁଷ୍ପ ମାଲ୍ୟରେ ସୁସଜ୍ଜିତ କରାଯାଇଥିଲା । ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ଦିବ୍ୟ ପ୍ରତିମାକୁ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ ଓ ପୂଜାର୍ଚ୍ଚନା କରି କୃପା ଲାଭ କରିଥିଲେ।

ଏକ ଆଧ୍ୟାତ୍ମିକ ଓ ଚଳ ଚଞ୍ଚଳ ପରିବେଶ ମଧ୍ୟରେ ସ୍ଥାନୀୟ ସହରବାସୀଙ୍କ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ବିଶ୍ଵକର୍ମା ସମାଜର ସହସ୍ରାଧିକ ସଦସ୍ୟ କାର୍ଯ୍ୟକ୍ରମ ପ୍ରାରମ୍ଭରୁ ସମାପନ ପର୍ଯ୍ୟନ୍ତ ଐକ୍ୟବଦ୍ଧ ଭାବେ ସମସ୍ତ କାର୍ଯ୍ୟ ପରିଚାଳନା ଓ ସହଯୋଗ କରିଥିଲେ। ସୁନ୍ଦର ମାଧବ ବେଦ ଓ କର୍ମକାଣ୍ଡ ବିଦ୍ୟାଳୟର ମୂଖ୍ୟ ପୁରୋହିତ ପଣ୍ଡିତ ଶଙ୍କର୍ଷଣ ପାଠୀ ଓ ସହଯୋଗୀ ସମସ୍ତ ଦେବନୀତି ସମ୍ପନ୍ନ କରିଥିଲେ। କର୍ତ୍ତା ଭାବେ ରାଜଶ୍ରୀ କୃଷ୍ଣ ମହାରଣା,ରାଜଶ୍ରୀ କୃଷ୍ଣଚନ୍ଦ୍ର ମହାରଣା, ରାଜଶ୍ରୀ ତ୍ରିନାଥ ମହାରଣା,

ରାଜଶ୍ରୀ ନରସିଂହ ମହାରଣା, ରାଜଶ୍ରୀ ସିମାଞ୍ଚଳ ମହାରଣା ଓ ରାଜଶ୍ରୀ ଦୁଃଖିଶ୍ୟାମ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ଉନ୍ନୟନ ଟ୍ରଷ୍ଟ ସଭାପତି ସୀମାଞ୍ଚଳ ମହାରଣା, ତାଳୁକା ଓ ଗଞ୍ଜାମ ଜିଲ୍ଲା ସଭାପତି ଅଜୟ କୁମାର ମହାରଣା ଓ ସମ୍ପାଦକ ପ୍ରମୋଦ କୁମାର ମହାରଣାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ ଓ ପରିଚାଳନା କରିଥିଲେ।ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାଙ୍ଗଲ୍ୟ ଯଜ୍ଞରେ ଯୋଗ ଦେଇ ଭଗବତ୍ କୃପା ଲାଭ କରିଥିଲେ।