୬୭ ତମ ଅଲ ଇଣ୍ଡିଆ ରେଲୱେ ଟି-ଟ୍ୱେଣ୍ଟି ପୁରୁଷ କ୍ରିକେଟ୍ ଚାମ୍ପିଅନସିପ୍ (ଏଲିଟ୍ ପୁଲ୍-ଏ) ୨୦୨୩-୨୪ ଉଦଘାଟିତ

୩୦ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼ ଦ୍ୱାରା ଆୟୋଜିତ ପୁଲ୍-ଏ ର ୬ଟି ରେଳ ଜୋନ୍ ମଧ୍ୟରେ ୧୫ ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼ ଦ୍ୱାରା ଆୟୋଜିତ ୬୭ ତମ ଅଲ ଇଣ୍ଡିଆ ରେଲୱେ ଟି – ଟ୍ୱେଣ୍ଟି ପୁରୁଷ କ୍ରିକେଟ୍ ଚାମ୍ପିୟନଶିପ (ଏଲିଟ୍ ପୁଲ୍-ଏ) ୨୦୨୩-୨୪, ରେଲୱେ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜୱା,ଏହି ଟୁର୍ନାମେଣ୍ଟକୁ ଉଦ୍ଘାଟନ କରିଛନ୍ତି।

ଖୋର୍ଦ୍ଧାରୋଡ଼ ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ, ଶ୍ରୀମତୀ ଗୁର୍ ସିମ୍ରନ୍ କୌର, ପୂର୍ବତଟ ରେଳ କ୍ରୀଡ଼ା ସଙ୍ଗଠନ, ଭୁବନେଶ୍ୱରର ସାଧାରଣ ସମ୍ପାଦକ,ଶ୍ରୀ ଅଜୟ କୁମାର ସାମଲ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା)ଶ୍ରୀ ସୁଭ୍ର ଜ୍ୟୋତି ମଣ୍ଡଳ,କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧାରୋଡ଼, ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ, ଶାଖା ଅଧିକାରୀ ଏବଂ ଖୋର୍ଦ୍ଧାରୋଡ଼ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ମାନେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ମୋଟ ୬ଟି ରେଲୱେ ଜୋନ୍ ଯଥା ଦକ୍ଷିଣ ପୂର୍ବ ରେଲୱେ,ପୂର୍ବ ତଟ ରେଲୱେ, ଉତ୍ତର ପୂର୍ବ ରେଲୱେ,ନର୍ଥ ଫ୍ରଣ୍ଟିୟର ରେଲୱେ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଏବଂ ମେଟ୍ରୋ ରେଳ କୋଲକାତା, ଏହି ଏଲିଟ୍ ପୁଲ୍-ଏ ଲିଗ୍ ମ୍ୟାଚରେ ଅଂଶଗ୍ରହଣ କରୁଛନ୍ତି। ଚଳିତ ମାସ ୩୦ ତାରିଖରୁ ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ୬ଟି ଜୋନ୍ ମଧ୍ୟରେ ମୋଟ ୧୫ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। କିଛି ଲିଗ୍ ମ୍ୟାଚ୍ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟାଡିୟମରେ ଏବଂ କେତେକ ଲିଗ୍ ମ୍ୟାଚ୍ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ।

ଏହି ଅବସରରେ ଯୋଗଦେଇ ଶ୍ରୀ ଏଚ୍ ଏସ ବାଜୱା ସେମାନଙ୍କର ସୁସ୍ଥ ଅଂଶଗ୍ରହଣ ପାଇଁ ସମସ୍ତ ଦଳକୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଖେଳାଳିଙ୍କ ସୁବିଧା ପାଇଁ ଡିଭିଜନ ବିସ୍ତୃତ ବ୍ୟବସ୍ଥା କରିଛି। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଟୁର୍ନାମେଣ୍ଟ ପାଇଁ ଖେଳାଳି ଏବଂ ଦର୍ଶକଙ୍କ ପାଇଁ ଅଧିକ ସୁବିଧା ଯୋଗାଇବା ପାଇଁ ଷ୍ଟାଡିୟମରେ ବିକାଶମୂଳକ କାର୍ଯ୍ୟ ଚାଲିଛି। ଭାରତୀୟ ରେଳବାଇ, ବିଭିନ୍ନ ଜୋନର ୨୭ଟି ଦଳ ପାଇଁ ୪ଟି ବିଭିନ୍ନ ସ୍ଥାନରେ ଯଥା, ଖୋର୍ଦ୍ଧାରୋଡ଼ ରେ ପୁଲ୍-ଏ, ପ୍ରୟାଗରାଜ ରେ ପୁଲ୍-ବି, କପୁରତଲାରେ ପୁଲ୍-ସି ଏବଂ ଖଡଗପୁରରେ ପୁଲ୍–ଡି ପାଇଁ ବିଭିନ୍ନ ଲିଗ୍ ମ୍ୟାଚ୍ ଆୟୋଜନ କରୁଛି।

ଆଜିର ପ୍ରଥମ ଲିଗ୍ ମ୍ୟାଚ୍ ପୂର୍ବ ତଟ ରେଲୱେ ଏବଂ ଦକ୍ଷିଣ ପୂର୍ବ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପୂର୍ବତଟ ରେଲୱେ ଏହି ମ୍ୟାଚକୁ ୧୨ ରନରେ ଜିତିଥିଲା। ଇଷ୍ଟକୋଷ୍ଟ ରେଳବାଇର ଶ୍ରୀ ଗିରିଜା ପି ରାଉତ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଖୋର୍ଦ୍ଧାରୋଡ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ,ଶ୍ରୀ ଅନିଲ କୁମାର ଏସ୍,ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫିକୁ ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍ କ୍ରୀଡା ସଚିବ ମହମ୍ମଦ ଜାକିରୁଦ୍ଦିନ ତଥା ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନର ସଦସ୍ୟ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଛି।