ଡ. ସୁରେଶ ବରାଡ଼ଙ୍କ ‘ଶ୍ରୀଜଗନ୍ନାଥ ବେଶ ପରମ୍ପରା : ଏକ ଅଧ୍ୟୟନ’ ପୁସ୍ତକ ଲୋକାର୍ପିତ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ)  ଓଡଗାଁ :-> ପବିତ୍ର ଦୋଳପୂର୍ଣିମା ଅବସରରେ ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ଶ୍ରୀ ଜଗନ୍ନାଥ ବେଶ ପରମ୍ପରା: ଏକ ଅଧ୍ୟୟନ’ ପୁସ୍ତକ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ଲୋକାର୍ପିତ ହୋଇ ଯାଇଛି। ଡ଼ଃ ବରାଡ଼ଙ୍କ ଏହି ପୁସ୍ତକ ଅତିଥିମାନଙ୍କ କର କମଳରେ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବଳଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଯାଇଛି। ନୟାଗଡ଼ ସ୍ଵଂୟଶାସିତ ମହାବିଦ୍ୟାଳୟର, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗମୁଖ୍ୟ, ପ୍ରାଧ୍ୟାପକ ଡଃ ଗୋବିନ୍ଦ ଚନ୍ଦ୍ର ଦାଶ,

ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, କବି ଓ ସାମ୍ବାଦିକ ଓ କବି ଦୀନବନ୍ଧୁ ମହାପାତ୍ର, ସାମ୍ବାଦିକ ଦିଲୀପ କୁମାର ମିଶ୍ର, ଜୟକୃଷ୍ଣ ସାହୁ, ବରିଷ୍ଠ ସାହିତ୍ୟିକ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ଵାଇଁ, ଯୁବ ସଂଯୋଜକ ନୀଳମାଧବ ମିଶ୍ର ପ୍ରଭୁତିଙ୍କ ଉପସ୍ଥିତିରେ ତଥା ମହାପ୍ରଭୁ ଲଡ଼ୁବାବାଙ୍କ ଅପାର କରୁଣାରୁ ଏହି ପୁସ୍ତକ ଉନ୍ମୋଚନ କରାଯାଇଥିଲା।

ଡ଼ଃ ସୁରେଶ ଚନ୍ଦ୍ର ବରାଡ଼ଙ୍କ ପୁସ୍ତକ ଗୁଡିକ ବୈଷ୍ଣବ, ଶୈବ, ଶାକ୍ତ ଓ ସନାତନ ଧର୍ମ ଉପରେ ପର୍ଯ୍ୟବେସିତ ଏକ ଏକ ଅମୂଲ୍ୟ କାବ୍ୟ ଗ୍ରନ୍ଥ। ଏତଦବ୍ୟତୀତ ଡ଼ଃ ବରାଡ଼ ବିଭିନ୍ନ ନଦୀ, ପର୍ବତ, ଗ୍ରାମର ଉତ୍ପତି ସମ୍ପର୍କରେ ଅନେକ ଐତିହାସିକ ତଥ୍ୟ ପ୍ରଦାନକାରୀ ପୁସ୍ତକମାନ ରଚନା କରି ପ୍ରକାଶିତ କରିଛନ୍ତି। ଡ଼ଃ ବରାଡ଼ ଜଗନ୍ନାଥ ଧର୍ମାବଲମ୍ବୀ ଚାରଣ ଗୋଷ୍ଠୀର ପ୍ରାଦେଶିକ କର୍ମକର୍ତ୍ତା ହେବା ସହିତ ଜଣେ ବିଚକ୍ଷଣ ପ୍ରବଚକ ଓ ଗବେଷକ ଅଟନ୍ତି। ତାଙ୍କର ପ୍ରକାଶିତ ୩୬ଖଣ୍ଡ ପୁସ୍ତକ ମଧ୍ୟରୁ କପିଳ ସଂହିତା, ହନୁମାନ ଚରିତାମୃତ, କବିତା ଅଷ୍ଟୋତ୍ତର ଶତ, ଜୀବନ ବିଚିତ୍ରା, ଭକ୍ତି ଅର୍ଘ୍ୟ, ଲଡୁବାବା ବିଳାସ, ଲଡ଼ୁବାବା ସ୍ରୋତମାଳା, କୁସୁମୀ ପ୍ରଭୁତି ଅଜସ୍ର ପାଠକୀୟ ସ୍ବୀକୃତି ଲାଭ କରିଛି।

ଏହି ବହିଟିକୁ ପଢ଼ି ନୟାଗଡ଼ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ସଞ୍ଜୟ କୁମାର ସାହୁ, ଅଧ୍ୟାପିକା ଡ.ବିନ୍ଦୁଲତା ଷଣ୍ଢ ଓ ଅଧ୍ୟାପକ ସହଦେବ ସାହୁ ପ୍ରମୁଖ ଲେଖକଙ୍କର ଜଗନ୍ନାଥ ଭକ୍ତିପ୍ରାଣତାର ଭୂୟଂସୀ ପ୍ରଶଂସା କରିଛନ୍ତି । ଅତିଥିମାନେ କବିଙ୍କର ଉତ୍ତରୋତ୍ତର ସାରସ୍ବତ ଉନ୍ନତି ତଥା ଜୀବନରେ ସଫଳତା ପାଇଁ ପ୍ରଭୁ ଲଡ଼ୁବାବାଙ୍କ ପାଖରେ ପ୍ରାର୍ଥନା କରିଥିଲେ ।