ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ : ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ

୨୬ ମାର୍ଚ୍ଚ, ୨୦୨୪ (ଓଡ଼ିଆ ତାଜ଼ାନ୍ୟୁଜ) କନ୍ଧମାଳ :-> ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମିଥିଲା । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୋଇଥିଲେ ।

ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହିଥିଲା । ହୋଲି ଖେଳ ପଛରେ ପୌରାଣିକ ତତ୍ୱ ବି ରହିଛି । ସମସ୍ତଙ୍କୁ ଭାବର ରଙ୍ଗରେ ରଙ୍ଗୀନ କରିବାକୁ ବର୍ଷକ ପରେ ଆସିଛି ଭାଇଚାରାର ମହାନ ପର୍ବ ହୋଲି। ଅବିର ମାଧ୍ୟମରେ ଶାନ୍ତି, ପ୍ରୀତି, ମୈତ୍ରି, ସଦଭାବନାର ବାର୍ତ୍ତା ବିଞ୍ଛି ଚାଲିଛି ଏହି ମହାନ ପର୍ବ। ଏ ନେଇ କନ୍ଧମାଳ ଜିଲ୍ଲାର ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଛି ହୋଲି ପର୍ବ।

ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ଅଭିବାଦନ ଜଣାଇଛନ୍ତି ଆବାଳ ବୃଦ୍ଧ ବନିତା . କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଛନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ଏହି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ ।

ଏ ନେଇ ଆଜି ପ୍ରତ୍ୟୁଷରୁ ଅଞ୍ଚଳର ସମସ୍ତ ମନ୍ଦିର ସମେତ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ମନ୍ଦିର ପୂଜକ ଓ ଭକ୍ତ ମାନେ ଭୋର ସକାଳୁ ରୀତି ନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରୀ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ସମଗ୍ର ନଗର ପରିକ୍ରମା କରାଯାଇଥିଲା ।

ଏହି ସମୟରେ ସହରବାସୀ ଘର ଦୁଆର ମୁହଁରେ ଝୋଟି ପକାଇ କଳସ ସ୍ଥାପନା କରି ଶ୍ରୀ ରାଧାକୃଷ୍ଣ ଙ୍କୁ ବନ୍ଦାପନା କରିବା ସହ ଅବିର ହୋଲି ଖେଳିଥିଲେ। ଅବିର ରଙ୍ଗରେ ରଙ୍ଗୀନ ହୋଇ ଉଠିଥିଲା ଗାଁ ଦାଣ୍ଡ।

ଠାକୁରଙ୍କୁ ଘରେ ଘରେ ବନ୍ଦାପନା କରିବା ସହ ସମସ୍ତେ ଅବିର ଲଗାଇଥିଲେ। ରଙ୍ଗ ଅବିରରେ ରଙ୍ଗାୟିତ ହୋଇ ଉଠିଥିଲା ସମଗ୍ର ସହର l ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବକୁ ଧୁମଧାମରେ ପାଳନ କରିଛନ୍ତି l