ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ : ବିଜେଡିରୁ ଇସ୍ତଫା ଦେଇଛନ୍ତି

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଖଲ୍ଲିକୋଟ :-> ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ବିଜେଡି ଟିକେଟ୍ ଆଶା ହରାଇ ସେ ଦଳ ଛାଡ଼ିଥିବା କୁହାଯାଉଛି । ତେେ ତାଙ୍କ ଇସ୍ତଫାପତ୍ରରେ ସେ କୌଣସି କାରଣ ଉଲ୍ଲେଖ କରିନାହାନ୍ତି । ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୂର୍ଣ୍ଣଚନ୍ଦ୍ର ସେଠୀ ୨୦୦୯ ଏବଂ ୨୦୧୪ ରେ ଖଲ୍ଲିକୋଟ ଆସନରୁ ବିଜେଡି ଟିକେଟ୍ ରେ ବିଧାନସଭାକୁ ଆସିଥିଲେ । ତେବେ ୨୦୧୯ ରେ ଦଳ ତାଙ୍କୁ ଟିକେଟ ଦେଲା ନାହିଁ ।

ସୂର୍ଯ୍ୟମଣୀ ବୈଦ୍ୟ ଟିକେଟ ପାଇ ଜିତିଲେ । ତେବେ ଏଥର ସେଠିକା ଚିତ୍ର କିନ୍ତୁ ଅଲଗା । ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ପରେ ସେଠାରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । ବିଧାୟିକା ଶ୍ରୀମତୀ ବୈଦ୍ୟଙ୍କ ବିରୋଧରେ ଜନଅସନ୍ତୋଷ ସାଙ୍ଗକୁ ପୂର୍ଣ୍ଣ ସେଠୀଙ୍କ ଗୋଷ୍ଠୀ ତାଙ୍କୁ ବିରୋଧ କରୁଛନ୍ତି । ସ୍ୱାଭାବିକ ଭାବେ ଶ୍ରୀ ସେଠୁ ସେଠାରୁ ଟିକେଟ୍ ପାଇବା ଆଶାରେ ଥିଲେ । ମାତ୍ର ବୋଧହୁଏ ଟିକେଟ ସଙ୍କେତ ନ ପାଇ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲେ । ଆଗକୁ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏହାର ପ୍ରଭାବ କିଭଳି ରହିବ ତାହା ଦେଖିବାର ଅଛି ।