ନିର୍ବାଚନ ପାଇଁ ପ୍ରସ୍ତୁତ ଦଶପଲ୍ଲା ଓ ବାଣିଗୋଛା ପୋଲିସ ପ୍ରଶାସନ – ଜାରିକଲା ୧୦୭ ନୋଟିସ

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଦଶପଲ୍ଲା : -> ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ବାଜିଲାଣି ତୂରୀ ଭେରୀ । ନିର୍ବାଚନ ମୈଦାନକୁ ପାଗ ଓ କମରପେଟି ଭିଡ଼ି ଓହ୍ଲାଇଲେଣି ବିଭିନ୍ନ ରାଜନୈତିକ ଦଳ। ଦିନକୁ ଦିନ ରାଜନୈତିକ ମାହୋଲ୍ ମଧ୍ୟ ସରଗରମ ହେବାରେ ଲାଗିଛି। ନିର୍ବାଚନ ସମୟ ଯେତିକି ନିକଟତର ହେଉଛି ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରଶାସନିକ ସ୍ତରରେ ସେତିକି ତତ୍ପରତା ପ୍ରକାଶ ପାଉଛି । ଏହା ମଧ୍ୟରେ ନିର୍ବାଚନ ସମୟରେ ଯେଭଳି କୌଣସି ଅପ୍ରୀତିକର ବା ହିଂସାତ୍ମକ ପରିସ୍ଥିତି ନ ଉପୁଜେ ସେନେଇ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ବୁଥ୍‌ର ଯାଞ୍ଚ କରାଯାଉଛି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୁଲିସ ପକ୍ଷରୁ ଫ୍ଲାସ୍‌ମାର୍ଚ୍ଚ କରାଯାଉଛି। ଏସବୁ ମଧ୍ୟରେ ଶାବିଶୃଙ୍ଖଳା ରକ୍ଷା କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସମେତ ପୂର୍ବରୁ ଅପରାଧିକ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିଙ୍କୁ ୧୦୭ ନୋଟିସ ବା (ବଶ୍ବ ଓଭର୍ କେସ୍)ଜାରି କରାଯାଉଛି। ନିର୍ବାଚନ ସମୟରେ ଯଦି ସେସବୁ ବ୍ୟକ୍ତିଙ୍କ ଦ୍ବାରା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ସେହି ବ୍ୟକ୍ତି ଦାୟୀ ରହିବେ ବୋଲି କୁହାଯାଇଛି। ଏହା ମଧ୍ୟରେ ଦେଖିବାକୁ ଗଲେ ବାଣିଗୋଛା ଥାନା ପକ୍ଷରୁ ୯୬ ଜଣ ବ୍ୟକ୍ତିଙ୍କୁ ବର୍ତ୍ତମାନ ସୁଦ୍ଧା ନୋଟିସ ଜାରି କରାଯାଇଥିବା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା କହିଛନ୍ତି।

ଏପରିକି ଆଗକୁ ଆହୁରି ଅନେକ ବ୍ୟକ୍ତିଙ୍କୁ ମଧ୍ୟ ନୋଟିସ ଜାରି କରାଯିବ ବୋଲି କହିଛନ୍ତି । ସେହିଭଳି ଦଶପଲ୍ଲା ଥାନା ପକ୍ଷରୁ ମଧ୍ୟ ବିଭିନ୍ନ ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯାଉଛି। ଗତ ଜାନୁଆରି ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୫୨ ଜଣ ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ଆଗକୁ ଆହୁରି ଅନେକ ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯିବ ବୋଲି ଥାନା ଅଧିକାରୀ ମୁକେଶ କୁମାର ବେହେରା କହିଛନ୍ତି। ପୂର୍ବରୁ ମଧ୍ୟ ଡିସେମ୍ବର ମାସଠାରୁ ଜାନୁଆରି ମାସ ମଧ୍ୟରେ ପ୍ରାୟ ଦେଢ଼ଶହ ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି। ବିଭିନ୍ନ ବୁଥ୍ରେ ଯାଞ୍ଚ କରାଯିବା ସହ ସମ୍ବେଦନ ଓ ଅତି ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ଭାବେ ଦଶପଲ୍ଲା ବାଳିକା ଉଚ୍ଚ ବିଦ୍ୟାଳୟ, ମଧ୍ୟଖଣ୍ଡ, ଶିମିଳିସାହି ଆଦି ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି। ନିର୍ବାଚନ ଯେଭଳି ଶାନ୍ତିଶୃଙ୍ଖଳାର ସହିତ ଶେଷହେବ ସେଥିପ୍ରତି କଡ଼ା ନଜର ରଖାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।