ତୁଟିଲା ମେଣ୍ଟ ଚର୍ଚ୍ଚା : ବିଜେପି,ବିଜେଡ଼ି କର୍ମୀ ଉତ୍ସାହିତ – କୋରାଇରେ ହେବ ତ୍ରିମୁଖୀ ଲଢ଼େଇ

ସବୁ ଦଳରୁ ଏକାଧିକ ବ୍ୟକ୍ତି ଆଶାୟୀ; କୋରାଇରେ ହେବ ତ୍ରିମୁଖୀ ଲଢ଼େଇ

 

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) କୋରାଇ :->  ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ କୁ ନେଇ ଲାଗି ରହିଥିବା ଦ୍ଵନ୍ଦ୍ଵରେ ପୂର୍ଣ୍ଣଛେଦ ପଡିଛି । ମେଣ୍ଟ ଲାଗି ନେତା ଓ କର୍ମୀଙ୍କ ମଧ୍ୟରେ ଲାଗି ରହିଥ‌ିବା ଅସ୍ଥିର ଅବସ୍ଥା ଏବେ ଦୂର ହୋଇଛି । ମେଣ୍ଟ ରାଜନୀତିରୁ ଫାଇଦା ନେବା ନେଇ ଆଶା କରିଥିବା କଂଗ୍ରେସ ଶିବିରରେ ଏକ ପ୍ରକାର ଭଟା ପଢିଯାଇଛି । ଏକାଠି ନଲଢ଼ି ଏକାକୀ ଉଭୟେ ଲଢ଼ିବାକୁ ଉଭୟ ଦଳର ନେତୃବୃନ୍ଦ ସାମାଜିକ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି । ବିଜେପି ସମସ୍ତ୍ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୁଡାନ୍ତ କରିଥିଲା ବେଳେ ବିଜେଡି ମଧ୍ୟ ତଦନୁରୂପ ଭାବେ ପ୍ରାର୍ଥୀ ଚୟନ ନିମନ୍ତେ ନିର୍ବାଚନ ମଣ୍ଡଳୀସ୍ତରୀୟ ନେତା କର୍ମୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ସମୀକ୍ଷା ଜାରି ରଖିଛି ।

ବିଧାନସଭା ଓ ଲୋକସଭା ନିମନ୍ତେ ଏକାଧିକ ପ୍ରାର୍ଥୀ ଆବେଦନ କରିଥିଲା ବେଳେ ବିଜୟୀ ସମ୍ଭାବନାଥୁବା ବ୍ୟକ୍ତିଙ୍କୁ ପ୍ରାର୍ଥୀକରାଯିବା ନେଇ ବିଜେଡି ପକ୍ଷରୁ ନିଷ୍ପତି ହୋଇଥିବା କୁହାଯାଉଛି । ଏହି ଆଧାରରେ ଖୁବ ଶିଘ୍ର ପ୍ରାର୍ଥୀ ଘୋଷଣ କରିଯିବାକୁ ନେତୃବୃନ୍ଦ ସ୍ଥିର କରିଛନ୍ତି । ଏହି ପରିପ୍ରେକ୍ଷିରେ ମେଣ୍ଟ ସପକ୍ଷରେ ନଥିବା କୋରାଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଏବେ ଆଶ୍ବସ୍ତି ପ୍ରକାଶ ପାଇଛି । ନିଜ ନିଜ ଦଳୀୟ ନେତାଙ୍କ ସପକ୍ଷରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କର୍ମୀ ବୈଠକ ଓ ଶୁଭେଚ୍ଛା ସଭା ଆରମ୍ଭ ହୋଇଛି । ବିଶେଷ କରି ବିଜେଡି ପକ୍ଷରୁ ବିଧାୟକ ଅଶୋକ କୁମାର ବଳ ପୁଣି ପ୍ରାର୍ଥୀହେବା ନେଇ ଭୁବନେଶ୍ଵର ଶୀର୍ଷ ନେତାଙ୍କ ସୁପାରିଶ ନେଇ ଲାଗିପଡିଥିଲା ବେଳେ ତାଙ୍କ ସମର୍ଥକମାନେ ମଧ୍ୟ କର୍ମୀମାନଙ୍କୁ ନେଇ ବୈଠକ ପରେ ବୈଠକ କରି ବଳ ଗୋଟାଉଛନ୍ତି ।

ଦଳର ଅନ୍ୟତମ ଆଶାୟୀ ପୂର୍ବତନ ବିଧାୟକ ଆକାଶ ଦାସନାୟକ ମଧ୍ୟ ପ୍ରାର୍ଥୀହେବା ନେଇ ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ସଙ୍ଗଠନ ସଜାଡିବାରେ ଲାଗିପଡିଛନ୍ତି । କର୍ମୀ ଓ ସମର୍ଥକଙ୍କ ଦୃଢ ଆଶା ‘ଏଥର କୋରାଇରେ ଆକାଶ’ ବୋଲି କହି ବୁଲୁଛନ୍ତି । ଆକାଶ ବାବୁ ମଧ୍ୟ ରାଜ୍ୟ ନେତୃମଣ୍ଡଳୀଙ୍କ ଠାରୁ ପ୍ରାର୍ଥୀ ହେବାର ଭରଷା ପାଇଥିବା କୁହାଯାଉଛି; ଯାହାହେଲେବି ସେ ଯେନତେନ ପ୍ରକାରେ କୋରାଇରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ଥୟ ବୋଲି ଶୁଭେଚ୍ଛୁ ଓ ସମର୍ଥଙ୍କୁ ରୋକଠୋକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବିଜେଡିର ସାଙ୍ଗଠନିକ ସଂପାଦକ ତଥା ଯାଜପୁରର ବିଧାୟକ ପ୍ରଣବପ୍ରକାଶ ଦାସ ଓରଫ ବବି ବାବୁ କୋରାଇରୁ ପ୍ରାର୍ଥୀ ହେବା ସ୍ଥିର ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସେ କୁଆଡେ ଗତ ଦୁଇଦିନ ତଳେ କୋରାଇ ବିଜେଡିର କେଇଜଣ ନେତାଙ୍କୁ ଭୁବନେଶ୍ଵର ଡାକି ଆଲୋଚନା କରି ଆଶାବ୍ୟକ୍ତ କରିଛନ୍ତି । ଦିନକୁ ଦିନ ଆଶାୟୀଙ୍କ ସଂଖ୍ୟା ବଢି ଚାଲିଥିଲା ବେଳେ ଅଶୋକ, ଆକାଶ ଓ ବବିଙ୍କ ପ୍ରାର୍ଥୀତ୍ବକୁ ନେଇ ଦଳୀୟ କର୍ମୀ ମହଲରେ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି । ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦି ବିଜେପିରୁ ପୂର୍ବଥର ପ୍ରାର୍ଥୀ ହୋଇଥ‌ିବା ବିଶ୍ୱଜିତ ନାୟକ ଏଥର ମଧ୍ୟ ପ୍ରାର୍ଥହେବା ନେଇ ଆଶାବାଦୀ ଅଛନ୍ତି । ସେ ଗତ ନିର୍ବାଚନରେ ୪୨,୬୭୯ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲା ବେଳେ ଏଥର ମୋଦୀଙ୍କ ଲୋକପ୍ରିୟତାକୁ ନେଇ ବିଜେପି ଭୋଟ ହାର ବଢିଛି; ସେ ପ୍ରାର୍ଥୀହେଲେ ବିଜୟ ସୁନିଶ୍ଚିତ ବୋଲି ଆଶା ରଖି ନିର୍ବାଚନ ମଣ୍ଡଳୀ ସାରା ବୈଠକ ପରେ ବୈଠକ ଜାରି ରଖୁଛନ୍ତି ।

ଅନ୍ୟପକ୍ଷରେ ଦଳର ଯୁବନେତାଙ୍କ ଇଂ ଆଲେକ୍‌ଜାଣ୍ଡାର ଦାସ ତାଙ୍କ ପାର୍ଥିତ୍ଵ ନେଇ କଂଟା ସାଜିଥିବା କୁହାଯାଉଛି । ବିଭିନ୍ନ ସାମାଜିକ କାର୍ଯ୍ୟ ଜରିଆରେ ସେ ତାଙ୍କର ସାଙ୍ଗଠନିକ ସ୍ଥିତିକୁ କେତେକାଂଶରେ ସୁଦୃଢ କରି ରଖୁଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ଓ ପ୍ରତିଶ୍ରୁତିରେ କାର୍ଯ୍ୟଜାରି ରଖିବା ସହ ଦଳୀୟ ପ୍ରାର୍ଥୀହେବା ନେଇ ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ଏ ଦୁହିଁଙ୍କ ବାଦ ଅନ୍ୟଦଳର ଜଣେ ପୂର୍ବତନ ବିଧାୟକ ଦଳରେ ଯୋଗଦେଇ ପ୍ରାର୍ଥୀ ହେବାର ଆଭାସ ମଧ୍ୟ ରହିଛି । ସେହିପରି ଜାତୀୟ ଦଳ କଂଗ୍ରେସରୁ ପୂର୍ବପ୍ରାର୍ଥୀ ବନ୍ଦିତା ପରିଡାଙ୍କୁ ପୁଣି ପ୍ରାର୍ଥୀ କରାଯିବା ନେଇଚର୍ଚ୍ଚା ହେଉଛି ।

ନିକଟରେ ପିସିସି ମହିଳା ସଭାନେତ୍ରୀରୁ ବାଦପଡିଥିବା ବେଳେ ଦୁଇଦିନ ତଳେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏବେ ତାଙ୍କ ସାଙ୍ଗଠନିକ ମନୋଭାବ ଆହୁରି ବଢିଯାଇଥିଲା ବେଳେ କର୍ମୀ ମହଲରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି । ସେ ଜଣେ ଦକ୍ଷ ସଙ୍ଗଠିକା ହୋଇଥିବାରୁ ପ୍ରାର୍ଥୀହୋଇ ଦୃଢ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇ ଇତିହାସ ରଚିବେ ବୋଲି କର୍ମୀ ମହଲରୁ କୁହାଯାଉଛି । ଅନ୍ୟପକ୍ଷରେ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ସଭାପତି ତଥା ପିସିସିର ବରିଷ୍ଠ ସଭ୍ୟ ବିଦ୍ୟାଧର ମହାନ୍ତି ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହେବାଲାଗି ଲାଗିପଡିଛନ୍ତି ।

ସେ ଜଣେ ପ୍ରଭାବି ନେତା; ଦଳୀୟ ସଙ୍ଗଠନ ସହ ଅଂଚଳରେ ବିଭିନ୍ନ ସଙ୍ଗଠନ ସହିତ ଜଡିତ ରହି ଲୋକଙ୍କ ସମସ୍ୟା ଅନାୟାସରେ ବୁଝିଥାନ୍ତି । ଏମାନଙ୍କ ବାଦ ଅନେକ ଯୁବ ଓ ବରିଷ୍ଠ ନେତା ମଧ୍ୟ ତିନି ଦଳରୁ ପ୍ରାର୍ଥୀ ହେବାନେଇ ଆଶାୟୀ ଅଛନ୍ତି । କେଉଁ ଦଳରୁ କିଏ ପ୍ରାର୍ଥୀ ହେବ; ସେ କଥାତ ସମୟ କହିବ । ହେଲେ ବିଜେଡି- ବିଜେପିର ମେଣ୍ଟ ହେବା ଆଶା ତୁଟିଯିବା ପରେ ଏବେ କୋରାଇ ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପ୍ରମୁଖ ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବା ସାରା ହୋଇଛି ।