ସୁପାରୀ କିଲର ଲଗାଇ ଗୁତାଦରଙ୍କୁ ହତ୍ୟା ଧମକ – ଥାନାରେ ଏତାଲା

୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ  :->  ଗଞ୍ଜାମ ଜିଲ୍ଲା ଶେରଗଡ଼ ତହସିଲ ଅଧିନରେ ଥିବା ପାକିଡି ବାଲିଘାଟ ଗୁତାଦାର ଗୁଡିସର ଗ୍ରାମର ସୁଧାନିଧି ଚୌଧୁରୀଙ୍କୁ ଦାଦାବଟି ମାଗିବା ସହ ହତ୍ୟା ଧମକ ଦେବା ନେଇ ସୋମବାର ଆସିକା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ଆସିକା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ରାଜେନ୍ଦ୍ର ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ ।

ଅଭିଯୋଗ ପ୍ରକାରେ ସୋମବାର ସକାଳେ ଶେରଗଡ ତହସିଲ ପାକିଡି ଋଷିକୂଲ୍ୟା ବାଲିଶର୍ଯ୍ୟାରୁ ଟ୍ରକ ଯୋଗେ ବାଲି ଚାଲାଣ ହେଉଥିଲା । ସକାଳୁ ଆସିକା ଥାନା ଚେରମାରିଆ ଗ୍ରାମର ଅନିଳ ବିଷୋୟୀ, ସୁନିଳ ବିଷୋୟୀ, ଯୋଗୀ ବିଷୋୟୀ, ଅରବିନ୍ଦ ବିଷୋୟୀ, ବଳରାମ ବିଷୋୟୀଙ୍କ ସମେତ ସଂପୃକ୍ତ ଗ୍ରାମର ପ୍ରାୟ ୩୦ ଜଣ ସହଯୋଗୀ ବିଭିନ୍ନ ମାରଣାସ୍ତ୍ର ଧରି ୬ଟି ବାଲି ବୋଝେଇ ଟ୍ରକକୁ ୫୯ନଂ ଜାତୀୟ ରାଜପଥ ଚେରମାରିଆ ଛକରେ ଅଟକାଇଥିଲେ। ସେମାନେ ଗାଡି ଚାଳକ ମାନଙ୍କୁ ପ୍ରତ୍ୟେକ ଗାଡି ପିଛା ୧ ହଜାର ଟଙ୍କା ଲେଖାଏଁ ବଟି ମାଗିଥିଲେ ।

ବଟି ଦେବା ପାଇଁ ମନା କରିବାରୁ ସଂଘବଦ୍ଧ ହୋଇ ମାରଣାସ୍ତ୍ର ଦେଖାଇ ଗାଡ଼ି ଚାଳକ ମାନଙ୍କୁ ସେଠାରେ ଭୟଭୀତ କରିଥିଲେ । ଫଳରେ ଚେରମାରିଆ ସେତୁ ଉପରେ ବାଲି ବୋଝେଇ ଗାଡି ଗୁଡିକ ଦୀର୍ଘ ସମୟ ପାଇଁ ଅଟକି ରହି ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । କୌଣସି ସୂତ୍ରରୁ ଖବର ପାଇ ବାଲି ଗୁତାଦାର ସୁଧାନିଧି ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ସଂପୃକ୍ତ ଯୁବକ ମାନେ ତାଙ୍କୁ ଘେରିଯାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଲିଘାଟ ଚଲାଇବାକୁ ହେଲେ ଆମକୁ ମାସିକ ୫ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ବାଲି ବୋଝେଇ ଗାଡି ପିଛା ୧ ହଜାର ଟଙ୍କା ବଟି ଦେବାକୁ ଦାବି କରିଥିଲେ ।

ନଚେତ ସବୁଦିନ ଲାଗି ବାଲି ଘାଟକୁ ବନ୍ଦ କରିଦେବା ପାଇଁ ଧମକ ଦେବା ସହ ସୁପାରିକିଲରଙ୍କୁ ଲଗାଇ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ସେମାନଙ୍କ ଏଭଳି ଧମକପୂର୍ଣ୍ଣ କଥା ଶୁଣି ବାଲି ଗୁତାଦାର ଅତ୍ୟନ୍ତ ଭୟଭୀତ ହୋଇ ଘଟଣା ସମ୍ପର୍କରେ ଆସିକା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଆସିକା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳେ ସଂଘବଦ୍ଧ ଯୁବକ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ପ୍ରକାଶ ଥାଉକି ରାଜନୀତି ପତିଆରା ଦେଖାଇ ସଂପୃକ୍ତ ଗ୍ରାମର ଜଣେ ବ୍ୟକ୍ତି ଗତ କିଛି ଦିନ ଧରି ଗୁତାଦାରଙ୍କୁ କୌଣସି ଅର୍ଥ ରାଶି ନ ଦେଇ ଲକ୍ଷ ଲକ୍ଷ ଟଙ୍କାର ଟଙ୍କାର ବାଲି ପରିବହନ କରିଥିବା ଜଣାପଡିଛି। ଏଭଳି ଜୋର ଜବରଦସ୍ତି କାରବାରରେ ଗୁତଦାର ଜଣକ ରୋକ୍ ଠୋକ୍ ମନା କଲା ପରେ ସମ୍ପୃକ୍ତ ଯୁବକ ଗୋଷ୍ଠୀ ଦାଦବଟି ମାଗିବା ସହ ତାଙ୍କୁ ସୁପାରି କିଲରଙ୍କୁ ଲଗାଇ ମାରିଦେବା ପାଇଁ ଏଭଳି ଧମକପୂର୍ଣ୍ଣ ଚେତାବନୀ ଦେଇଥିବା ପରିବେଶ ଓ ପରିସ୍ଥିତିରୁ ସୂଚନା ମିଳିଛି ।