ଜୟପୁରରୁ ତାରା ନିଶ୍ଚିତ : ବିଜେଡି ଓ ବିଜେପି ପ୍ରାର୍ଥୀତ୍ୱକୁ ନେଇ ଚିତ୍ର ଅସ୍ପଷ୍ଟ

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାପୁଟ  :-> ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଥିବା ୧୪ ଆସନ ମଧ୍ୟରୁ ୧୨ ଟି ବିଧାନସଭା ଆସନ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାବଳେ ଗୋଟିଏ ଅନୁସୂଚିତ ଜାତିଙ୍କ ପାଇଁ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ ଓ ଅନ୍ୟ ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ ଜୟପୁର ହେଉଛି ସାଧାରଣ ବର୍ଗଙ୍କ ପାଇଁ । ୧୯୭୧ ମଶିହାରୁ ଏଠାରେ ଯେଉଁ ନିର୍ବାଚନ ହୋଇଛି କଂଗ୍ରେସ ପ୍ରାର୍ଥୀ ମାନେ ଏଠାରୁ ୮ଥର ଜିତିକରି ଆସିଛନ୍ତି ।

 

୧୯୭୪ ମଶିହାରୁ ୧୯୯୫ ମଧ୍ୟରେ ହୋଇଥିବା ନିର୍ବାଚନରେ ରଘୁନାଥ ପଟ୍ଟନାୟକ ୫ ଥର ନିର୍ବାଚିତ ହୋଇ ଅର୍ଥ , ଆଇନ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳିଥିଲେ। ଅବଶ୍ୟ ଗୁପ୍ତ ପ୍ରସାଦ ଦାସ ୧୯୮୫ରେ କଂଗ୍ରେସରୁ ଜିତିଥିଲେ । ରବି ନାରାୟଣ ନନ୍ଦ ବିଜୁଜନତା ଦଳର ପ୍ରାର୍ଥୀ ଭାବେ ଏଠାରୁ ୨୦୦୦ ମଶିହାରୁ ୨୦୦୯ ପର୍ଯ୍ୟନ୍ତ ଲଗାତର ୩ ଥର ବିଜୟୀ ହୋଇଥିଲେ । ତେବେ ତାରା ପ୍ରସାଦ ବାହିନୀପତି ରବି ନାରାୟଣ ନନ୍ଦଙ୍କୁ ଟକ୍କର ଦେଇ ୨୦୧୪ ଓ ୨୦୧୯ ଲଗାତାର ଭାବେ ଜିତି ଆସୁଛନ୍ତି । ତାରା ପ୍ରସାଦ (ଭାଲୁ ବାହିନୀ ପତି ) ।

 

ସେହିପରି ତାରାପ୍ରସାଦ ୨୦୧୪ ମଶିହାରେ ଏଠାରେ ୬୫୩୭୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ରବି ନନ୍ଦ ୫୭,୦୧୧ ଖଣ୍ଡ ଓ ବିଜେପି ର ଭୃଗୁ ବକ୍ସିପାତ୍ର ୧୪୪୬୨ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ରେ ଭାଲୁ ବାହିନୀ ପତି ଏଠାରୁ ୫୯,୭୮୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ନିକଟତମ ପ୍ରତିଦ୍ଵନ୍ଦୀ ରବି ନନ୍ଦ ୫୪,୩୩୪ ଓ ବିଜେପି ର ଗୌତମ ସାମନ୍ତରାୟ ୩୩,୮୦୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଚଳିତ ନିର୍ବାଚନରେ ତାରାପ୍ରସାଦ ବାହିନୀ ପତି ଏଠାରୁ ପ୍ରାର୍ଥୀ ହେବା ଏକ ପ୍ରକାର ସ୍ଥିର ନିଶ୍ଚିତ କହିଲେ ଅତ୍ୟୁକ୍ତି ହେବନାହିଁ , ମାତ୍ର ବିଜେଡି ରୁ ପ୍ରାର୍ଥୀ କିଏ ହେଉଛି ତାହା ସ୍ପଷ୍ଟ ହୋଇନାହିଁ ।

ଏଠାରୁ ପୁର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଲଗାତାର ପରାଜିତ ହୋଇଥିବା କାରଣରୁ ଦଳ ତାଙ୍କୁ ପ୍ରାର୍ଥୀ ଦଳ କରୁଛି ନା ଆଉ କାହାକୁ ତାହା ଅସ୍ପଷ୍ଟ । ସେହିପରି ବର୍ତ୍ତମାନ ରାଜ୍ଯ ସାଧାରଣ ସମ୍ପାଦକ ଥିବା ଈଶ୍ବର ପାଣିଗ୍ରାହୀ ଏଠାରୁ ପ୍ରାର୍ଥୀ ହେବା ପାଇଁ କସରତ ଆରମ୍ଭ କରିଥିବା ଜଣାପଡିଛି । ରବି ନାରାୟଣ ନନ୍ଦଙ୍କୁ ଯଦି ଦଳ ଟିକଟ ନଦିଏ ତାଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କ ପାଇଁ ସେ ଦାବୀ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ଯପକ୍ଷରେ ବିଜେପି ପକ୍ଷରୁ ଗତଥର ପ୍ରାର୍ଥୀ ହୋଇଥିବା ଗୌତମ ସାମନ୍ତରାୟ ଓ ୨୦୧୪ ରେ ପ୍ରାର୍ଥୀ ହୋଇଥିବା ପୁର୍ବତ୍ତନ ମନ୍ତ୍ରୀ ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ ଭୃଗୁ ବକ୍ସିପାତ୍ରଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରି ପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଉ ଜଣେ ଦୁଇଜଣଙ୍କ ନାଆଁ ମଧ୍ଯ ଶୁଣିବାକୁ ମିଳୁଛି । ତେବେ ଯାହା ହେଉନା କାହିଁକି ବର୍ତ୍ତମାନ କୋରାପୁଟ ଜିଲ୍ଲା ସହିତ ରାଜ୍ୟରେ ତାରା ପ୍ରସାଦ ବାହିନୀପତି ଙ୍କ ପତିଆରା ଥିବା ସହିତ ଜୟପୁରରୁ ବିଧାନସଭା ନିର୍ବାଚନମଣ୍ଡଳୀ ରେ ତାଙ୍କର ସ୍ବଚ୍ଛ ଭାବମୂର୍ତ୍ତି ଓ ଲୋକସମ୍ପର୍କ ଥିବାରୁ ପୁଣି ଏଠାରୁ ପ୍ରାର୍ଥୀ ହୋଇ ହାର୍ଡ ଟ୍ରିକ୍ କରିବା ଲକ୍ଷ୍ୟରେ ଥିବା ଜଣାପଡ଼ିଛି ।