ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ଖୁବ୍ ଶୀଘ୍ର ଏୟାର୍ ଆମ୍ବୁଲାନସ୍ ଯୋଗେ ତାଙ୍କୁ ଭୁବନେଶ୍ୱରକୁ ଅଣାଯିବ ।

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ତାଙ୍କ କାର୍ ମୁହାମୁହିଁ ଧକ୍କା ହେବାରୁ ପଛସିଟ୍ ରେ ବସିଥିବା ଶ୍ରୀ ଆଚାର୍ଯ୍ୟଙ୍କର ମୁଣ୍ଡ, ମୁହଁ ଓ ନାକରେ ଗଭୀର ଆଘାତ ଲାଗିଛି । ତାଙ୍କର ପିଏସଓ ଓ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।

ଗୁରୁତର ଆହତ ଶ୍ରୀ ଆଚାର୍ଯ୍ୟଙ୍କୁ ଏକ ଆମ୍ବୁଲାନସ୍ ଯୋଗେ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସମ୍ବଲପୁରର ବିକାଶ ହସ୍ପିଟାଲ୍ କୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍ ଅଧୀକ୍ଷକ ଡାକ୍ତର ଶୀର୍ଷକ ଘୋଷ କହିଛନ୍ତି ।
ଶ୍ରୀ ଆଚାର୍ଯ୍ୟଙ୍କ ମୁଣ୍ଡ ଓ ବାମ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଆଣିବାକୁ ବ୍ୟବସ୍ଥା କରାଯାଉଛି । ଖୁବ୍ ଶୀଘ୍ର ଏୟାର୍ ଆମ୍ବୁଲାନସ୍ ଯୋଗେ ତାଙ୍କୁ ଭୁବନେଶ୍ୱରକୁ ଅଣାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଉତ୍ତରାଞ୍ଚଳଞ୍ଚଳ ଆରଡିସି ଶ୍ରୀକାନ୍ତ ପୃଷ୍ଟି ଏବଂ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ୍ କହିଛନ୍ତି ।

ଗତକାଲି ନବୀନ ନିବାସରେ ଅନୁଷ୍ଠିତ ବିଜେଡି ବୈଠକରେ ଯୋଗଦେଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । ବୈଠକ ସରିଲା ପରେ ରାତିରେ ସେ ବରଗଡ଼ ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କ ପରିବାର ଭୁବନେଶ୍ୱରର ଶୈଳଶ୍ରୀବିହାରରେ ରହୁଛନ୍ତି । ଦୁର୍ଘଟଣା ଖବର ପାଇଲା ପରେ ସମ୍ବଲପୁର ବିକାଶ ହସ୍ପିଟାଲ୍ ରେ ଶୁଭେଚ୍ଛୁମାନଙ୍କର ପ୍ରବଳ ଭିଡ଼ ହୋଇଛି । ସବୁଆଡୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି ।