ରମେଶଙ୍କୁ ଟକ୍କର ଦେବାକୁ : ନେତା ଖୋଜୁଛନ୍ତି ସାନଖେମୁଣ୍ଡିବାସୀ

9 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ସାନଖେମୁଣ୍ଡି :-> ରମେଶଙ୍କୁ ଟକ୍କର ଦେବାକୁ : ନେତା ଖୋଜୁଛନ୍ତି ସାନଖେମୁଣ୍ଡିବାସୀ , ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବିଧାନସଭା ଆସନକୁ ବିଜେଡ଼ି କବ୍‌ଜାକୁ ଆଣିବା ପାଇଁ ଦଳର ବରିଷ୍ଠ ନେତାମାନେ ଏବେଠାରୁ ଅଙ୍କକଷା ଆରମ୍ଭ କଲେଣି । ଗତ ୨୦୧୯ରେ ଧରାକୋଟ ରାଣୀ ଶ୍ରୀମତୀ ନନ୍ଦିନୀ ଦେବୀ ବିଜେଡ଼ି ଟିକେଟରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଶ୍ରୀ ରମେଶ ଚନ୍ଦ୍ର ଜେନା ତାଙ୍କୁ ୨୪ ହଜାର ଭୋଟରେ ପରାସ୍ତ କରିଥିଲେ ।

ଯେହେତୁ ଲତିକା ପ୍ରଧାନ ଏହି ସାନଖେମୁଣ୍ଡି ବିଧାନସଭା ପାଇଁ ଆଶାୟୀ ଥିଲେ ଏବଂ ବହୁ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତି କରିଥିଲେ; କିନ୍ତୁ ତାଙ୍କୁ ଟିକେଟ୍ ଦିଆ ନଯାଇ ଧରାକୋଟ ରାଣୀଙ୍କୁ ରାଜନୀତି କରିବା ପାଇଁ ବିଜେଡ଼ି ଯେଉଁ ଟିକେଟ୍ ଦେଇଥିଲା ତାହା ଦଳ ପାଇଁ ବୁମେରାଂ ସୃଷ୍ଟି କରିଥିଲା । ଲତିକା ପ୍ରଧାନଙ୍କୁ ଭଲ ପାଉଥିବା ଭୋଟରମାନେ ନିରାଶ ହୋଇ ରାଗରେ କଂଗ୍ରେସକୁ ଭୋଟ ଦେଇଥିଲେ । ଯେଉଁଥିପାଇଁ ୨୪ ହଜାର ଭୋଟ ବ୍ୟବଧାନରେ ଜିତି ରମେଶ ଜେନା ବିଧାୟକ ହେବାର ସୁଯୋଗ ପାଇଥିଲେ ।

ଲତିକା ପ୍ରଧାନଙ୍କୁ କବିସୂର୍ଯ୍ୟନଗର ଆସନରୁ ବିଜେଡ଼ି ପ୍ରାର୍ଥୀ ଭାବେ ଲଢ଼ି ୨୦୧୯ ନିର୍ବାଚନରେ ୫୦ ହଜାର ଭୋଟରେ ବିଜୟଲାଭ କରି ରେକର୍ଡ଼ ସୃଷ୍ଟି କରିଥିଲେ । ଏବେ ପୁଣି ଚର୍ଚ୍ଚା ଉଠିଲାଣି ବିଜେଡ଼ି କାହାକୁ ପ୍ରାର୍ଥୀ କରିବ । ସାନଖେମୁଣ୍ଡି ଆସନଟି କଂଗ୍ରେସ ହାତରେ ଥିବାରୁ ବିଜେଡ଼ି କର୍ମୀମାନେ ଭିତରେ ଭିତରେ ଛଟପଟ ହେଉଥିବା ସହ ପସନ୍ଦିଆ ନେତା ଖୋଜିବା ଆରମ୍ଭ କଲେଣି । ଯାହା ଜଣାପଡୁଛି ୨୦୨୪ ନିର୍ବାଚନଟି ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ କଡ଼ା ମୁକାବିଲାର ସମ୍ମୁଖୀନ ହେବ । ବର୍ତ୍ତମାନର ବିଧାୟକ ଶ୍ରୀ ରମେଶ ଜେନା ମଧ୍ୟ ନିଜ କ୍ଷେତ୍ରକୁ ଚକ୍ରବ୍ୟୁହ ଭିତରେ ବାନ୍ଧି ରଖିବା ସହ ନିଜ ଅଞ୍ଚଳକୁ ଘନଘନ ଗସ୍ତ କରୁଛନ୍ତି ।

କିନ୍ତୁ ବିଜେଡ଼ିର ସିନିୟର ନେତାମାନେ ସାନଖେମୁଣ୍ଡି ବିଧାନସଭା ଆସନକୁ ଫେରାଇ ଆଣିବା ପାଇଁ ଭିତିରିଆ ଉଦ୍ୟମ ଜାରି ରଖିଥିଲା ବେଳେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁଣିବାକୁ ମିଳୁଛି ଧରାକୋଟ ରାଣୀଙ୍କ ଝିଅ ସୁଶ୍ରୀ ଗୀତାଞ୍ଜଳୀ ଦେବୀ ଏହି ଆସନ ପାଇଁ ଲବି ଆରମ୍ଭ କରିଛନ୍ତି । ଯେହେତୁ ସେ ବର୍ତ୍ତମାନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି, ତେଣୁ ବିଜେଡ଼ିର ଗୁଡ଼ ରସଗୋଲା ଖାଇବାକୁ ମନ ବଳାଇଛନ୍ତି । ଅଭିଜ୍ଞତା, ବୟସ ଏବଂ ପାରିବାରିକ ଭୋଟର ପ୍ରଭାବ ନଥିବାରୁ ରାଣୀଙ୍କ ଝିଅ ସୁଶ୍ରୀ ଗୀତାଞ୍ଜଳୀ ଦେବୀ ଏଠୁ ଜିତିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ତେବେ ଦୀର୍ଘ ଦଶ ବର୍ଷ ଧରି ଜନସେବାରେ ନିଜକୁ ସାମିଲ୍‌ ରଖିଥିବା ସାନଖେମୁଣ୍ଡି ମାଟିର ମଣିଷ ମନୋଜ କୁମାର ରଥଙ୍କୁ ନେଇ ମଧ୍ୟ ଅଙ୍କାବଙ୍କା ଆଲୋଚନା ମୁଣ୍ଡ ଟେକିଛି । ଜନସାଧାରଣଙ୍କ ସହ ଓତପ୍ରୋତଃ ସମ୍ପର୍କ ଥିବାରୁ ତାଙ୍କୁ ନେଇ ନିର୍ବାଚନ ରଣକ୍ଷେତ୍ର ପ୍ରସ୍ତୁତ କରାଗଲେ ଫଳାଫଳ କ’ଣ ହେବ ତାହା ତ ସମୟ କହିବ; କିନ୍ତୁ ସମାଜସେବାରୁ ରାଜନେତା ଏବଂ ହଟବେଲ୍ଟ ସାନଖେମୁଣ୍ଡିର ବିଧାୟକ ପଦବୀ ପାଇଁ ଯେଉଁ କେତେଜଣ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଆଲୋଚନା ଉଠିଛି ସେମାନଙ୍କ ମଧ୍ୟରେ ମନୋଜ ରଥଙ୍କୁ ନେଇ ଚର୍ଚ୍ଚା ଜୋରରେ ଚାଲିଛି । ଜଣେ ଦରଦି ବନ୍ଧୁ ଓ ଗରିବଙ୍କ ଆଶାବାଡ଼ି ଭାବେ ନିଜର ପରିଚୟ ସୃଷ୍ଟି କରି ସାନଖେମୁଣ୍ଡି ମାଟିରେ, ଗଳିକନ୍ଦିରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ମୁଣ୍ଡ ଟେକିଲାଣି ।

କିନ୍ତୁ ଗତ ନିର୍ବାଚନରେ ବିଜେଡ଼ି ଟିକେଟରୁ ହାରିଥିବା ନନ୍ଦିନୀ ଦେବୀ ପୁଣିଥରେ ପ୍ରାର୍ଥୀ ହେବା ପାଇଁ ମନ ବଳାଇଛନ୍ତି । ତେବେ ବିଜେଡ଼ି ସିଲେକ୍ସନ କମିଟି ପାଖରେ ଯେଉଁ ନୂଆ ପ୍ରାର୍ଥୀଙ୍କ ନାମ ପହଞ୍ଚିଥିଲା ସେମାନଙ୍କ ମଧ୍ୟରୁ ମନୋଜ କୁମାର ରଥଙ୍କ ନାମ ସର୍ବାଗ୍ରେ ରହିଛି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି । ଶ୍ରୀ ରଥ ପ୍ରାର୍ଥୀ ହେଲେ ବିଧାୟକ ରମେଶ ଜେନାଙ୍କୁ ଟକ୍କର ଦେଇପାରିବେ ବୋଲି ସ୍ଥାନୀୟ ଭୋଟରମାନେ କଥାବାର୍ତ୍ତା ହେଉଛନ୍ତି ।