ସାମଗ୍ରିକ ପ୍ରଦର୍ଶନ ପାଇଁ ହିଞ୍ଜିଳିକାଟୁ ବ୍ଳକ ଦ୍ଵିତୀୟ ଭାବେ ସମ୍ମାନିତ

୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :->  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ, ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ଅବସରରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ପରିଷଦର ହିଞ୍ଜିଳିକାଟୁ ବ୍ଲକ ସାମଗ୍ରିକ ପ୍ରଦର୍ଶନ ପାଇଁ ଦ୍ଵିତୀୟ ସ୍ଥାନ ଅଳଙ୍କୃତ କରି ସମ୍ମାନିତ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳି ବିଧାୟକ ତଥା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୂଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ,ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ମା ମାନେ ୫୦ ପ୍ରତିଶତରୁ ଅଧିକ ସଂଖ୍ୟାରେ ବିଜୟ ଲାଭ କରି ଇତିହାସ ସୃଷ୍ଟି କରିଛନ୍ତି ବୋଲି ମୂଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏଵଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସଭାପତିତ୍ବ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନି ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦର ହିଞ୍ଜିଳିକାଟୁ ବ୍ଲକ ସାମଗ୍ରିକ ପ୍ରଦର୍ଶନ ପାଇଁ ଦ୍ଵିତୀୟ ଭାବେ ସମ୍ମାନିତ କରାଯାଇଥିଲା।

ଗତ ୨୦୨୩-୨୪ ବର୍ଷର -୨୪ ମାସ ପର୍ଯ୍ୟନ୍ତ ଆର୍ଥିକ ବିନିଯୋଗ ବିବରଣୀ, ସମଗ୍ର ଗ୍ରାମ ପଞ୍ଚାୟତରେ ନିଜସ୍ଵ ପାଣ୍ଠି ବୃଦ୍ଧି, ଅଡିଟ ଅନଲାଇନର ସ୍ଥିତି,୧ ମାର୍ଚ୍ଚ ସୁଦ୍ଧା ୨୦୨୪- ଅନଲାଇନ ରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନାର ସ୍ଥିତି, ଗ୍ରାମ ପଞ୍ଚାୟତ ପ୍ରୋଫାଇଲ ଅପଡେସନ, ପଞ୍ଚାୟତ ବିକାଶ ସୂଚକାଙ୍କ ର ଅନଲାଇନ ଏଣ୍ଟ୍ରି, ଇ-ପଞ୍ଚାୟତ ସେବା ଦ୍ଵାରା ପଞ୍ଚାୟତ ଆୟର ଅନଲାଇନ ହିସାବ, ଇ – ପଞ୍ଚାୟତ ସଭା ଦ୍ଵାରା ଗ୍ରାମ ପଞ୍ଚାୟତ ତଥ୍ୟ ଅନଲାଇନରେ ଅପଡେସନ,ଇ – ଗ୍ରାମ ସ୍ଵରାଜ ସ୍ଵରାଜ ପୋର୍ଟାଲରେ କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ କମିଶନ ଅନୁଦାନର ପୈଠ ଏଵଂ ବିଜୁଳି ବିଲ ପୈଠ ମାନଦଣ୍ଡ ପୂରଣ କରିବାରେ ସାମଗ୍ରିକ ପ୍ରଦର୍ଶନକୁ ସଫଳ ରୂପାୟନ କରିବାରେ ତତ୍କାଳୀନ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ବଳିଷ୍ଠ ପଦକ୍ଷେପ,

ଆନ୍ତରିକ ଓ ନିରନ୍ତର ପ୍ରଚେଷ୍ଟା ଏବଂ ସମ୍ମିଳିତ ଉଦ୍ୟମ ସହ ସକାରାତ୍ମକ ଦୃଷ୍ଟିକୋଣର ପ୍ରତିଫଳନ ସ୍ୱରୂପ ରାଜ୍ୟ ସ୍ତରରେ ହିଞ୍ଜିଳିକାଟୁ ବ୍ଳକ କୃତିତ୍ବ ଅର୍ଜ୍ଜନ କରିଛି। ଏହି ଅବସରରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ବାଇଁଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀଙ୍କୁ ମନ୍ତ୍ରୀ ଶ୍ରୀ ଅମାତ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।