ରାଜ୍ୟ ସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ : ଭାଗ ନେଉଛନ୍ତି ୨୩ ଟି ଜିଲ୍ଲାର ପ୍ରାୟ ୧୨୦ ହସ୍ତଶିଳ୍ପ କାରିଗର

୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି । ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଶତି ଛୋଟରାୟ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ ଏବଂ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସରୋଜ କୁମାର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ବିନୋଦ ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା ।

ହସ୍ତଶିଳ୍ପ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡ଼ିକର ବିକି୍ରବଟାର ସହାୟତା ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ଚଳିତ ବର୍ଷ ଏହି ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୩ଠାରେ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀରେ ୨୩ ଗୋଟି ଜିଲ୍ଲାର ପ୍ରାୟ ୧୨୦ ଜଣ ହସ୍ତଶିଳ୍ପ କାରିଗରୀଙ୍କୁ ବିନାଦେୟରେ ଷ୍ଟଲ ପ୍ରଦାନ କରାଯାଇଛି । ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକରେ ମଧ୍ୟରେ କେନ୍ଦୁଝର, ଯାଜପୁର, ବାଲେଶ୍ୱର, ବରଗଡ଼,

ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ନବରଙ୍ଗପୁର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗିର, ବୌଦ୍ଧ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନୂଆପଡ଼ା ଓ ଭଦ୍ରକ ରହିଛନ୍ତି । ଓଡ଼ିଶାର ହସ୍ତଶିଳ୍ପର ନିଜସ୍ୱ ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୧ଟି ହସ୍ତଶିଳ୍ପକୁ ଆଧାର କରି ୧,୬୦,୦୦୦ରୁ ଊଦ୍ଧ୍ୱର୍ କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ହସ୍ତଶିଳ୍ପ କଳାକୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବହୁସଂଖ୍ୟାରେ ଜାତୀୟ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି ।

ଅଦ୍ୟାବଧି ୧୯୩ ଜଣ ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପାଇଥିବାବେଳେ ତନ୍ମଧ୍ୟରୁ ୫ ଜଣ ପଦ୍ମ ପୁରସ୍କାର, ୧୩ ଜଣ ଶିଳ୍ପଗୁରୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏତଦ୍‌ବ୍ୟତୀତ ୩୪୨ ଜଣ ହସ୍ତଶିଳ୍ପୀ ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିଛନ୍ତି । ଓଡ଼ିଶା ସରକାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତଶିଳ୍ପର ବିକାଶ ପାଇଁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ବଜାର ସହାୟତା ପାଇଁ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି ।

କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ, ଶୀର୍ଷ ଅନୁଷ୍ଠାନ ଓ ସମବାୟ ସମିତିମାନଙ୍କୁ ଦକ୍ଷତା ବୃଦ୍ଧି, କାରିଗରୀ କୌଶଳ ବୃଦ୍ଧି ତାଲିମ, ଉନ୍ନତ ମାନର ଯନ୍ତ୍ରପାତି, ବ୍ୟାଙ୍କ ଋଣ ସହାୟତା, ଭିତ୍ତିଭୂମିର ବିକାଶ, ନମୁନା ବିକାଶ, ପ୍ରଦର୍ଶନୀ ମାଧ୍ୟମରେ ବଜାୟ ସହାୟତା ଇତ୍ୟାଦି ଯୋଗାଇ ଦିଆଯାଉଛି । ଏଥି ସହିତ ହସ୍ତଶିଳ୍ପ ସାମଗ୍ରୀ ପାଇଁ ଅନ୍‌ଲାଇନ୍‌ ମାର୍କେଟିଂର ବ୍ୟବସ୍ଥା କରାଯାଉଛି ।