5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ
୬ଟି ଜିଲ୍ଲାର ୧୩୬୩ଟି ପଞ୍ଚାୟତରେ ୧୯୮ଟି ବସ୍, ୭୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ
ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍, ୧୫.୫୦ଲକ୍ଷ ଲୋକ ଉପକୃତ
ପୁରୀର ୪୩୩ଟି ପଞ୍ଚାୟତରେ ୪୪ଟି ବସ୍, ୧୪ ଲକ୍ଷ ୬୦ ହଜାର ଲୋକ ଉପକୃତ
କେନ୍ଦ୍ରାପଡାର ୧୯୬ଟି ପଞ୍ଚାୟତରେ ୩୭ଟି ବସ୍, ୧୧ ଲକ୍ଷ ୩୭ ହଜାର ଲୋକ ଉପକୃତ
ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍, ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ
ଯାଜପୁରର ୨୩୩ଟି ପଞ୍ଚାୟତରେ ୩୯ଟି ବସ୍, ୧୩ ଲକ୍ଷ ୭୦ ହଜାର ଲୋକ ଉପକୃତ
ନୟାଗଡର ୧୮୯ଟି ପଞ୍ଚାୟତରେ ୩୧ଟି ବସ୍, ୯ ଲକ୍ଷ ୩୪ ହଜାର ଲୋକ ଉପକୃତ
ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ, କମ ଖର୍ଚ୍ଚରେ ଦୈନନ୍ଦିନ କାର୍ଯ୍ୟ କରିପାରିବେ, ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ – ମୁଖ୍ୟମନ୍ତ୍ରୀ
ଲକ୍ଷ୍ମୀ ବସ୍ ସାରା ରାଜ୍ୟର ସମ୍ପତ୍ତି, ଆପଣମାନଙ୍କ ସମ୍ପତ୍ତି, ଏହା ଆପଣମାନଙ୍କ ସମୃଦ୍ଧିର ବାହକ, ନିଜ ସମ୍ପତ୍ତିର ଆପଣ ଯେପରି ରକ୍ଷଣାବେକ୍ଷଣ କରନ୍ତି, ଠିକ୍ ସେହିପରି ଲକ୍ଷ୍ମୀ ବସର ମଧ୍ୟ ଯତ୍ନ ନିଅନ୍ତୁ – ଲୋକଙ୍କୁ 5T ଅଧ୍ୟକ୍ଷଙ୍କ ଅନୁରୋଧ
୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଜିର ଶୁଭାରମ୍ଭ ପରେ ୬ଟି ଜିଲ୍ଲାର ୧୩୬୩ଟି ପଞ୍ଚାୟତରେ ୧୯୮ଟି ବସ୍ ଚାଲିଲା। ଏହା ଦ୍ୱାରା ୭୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍ ଚାଲିଲା ଏବଂ, ୧୫.୫୦ଲକ୍ଷ ଲୋକ ଉପକୃତ ହେଲେ । ପୁରୀର ୪୩୩ଟି ପଞ୍ଚାୟତରେ ୪୪ଟି ବସ୍ ଚାଲିଲା ଏବଂ ୧୪ ଲକ୍ଷ ୬୦ ହଜାର ଲୋକ ଉପକୃତ ହେଲେ । କେନ୍ଦ୍ରାପଡାର ୧୯୬ଟି ପଞ୍ଚାୟତରେ ୩୭ଟି ବସ୍ ଚାଲିଲା ଏବଂ ୧୧ ଲକ୍ଷ ୩୭ ହଜାର ଲୋକ ଉପକୃତ ହେଲେ । ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍ ଚାଲିଲା ଏବଂ ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେଲେ। ଯାଜପୁରର ୨୩୩ଟି ପଞ୍ଚାୟତରେ ୩୯ଟି ବସ୍ ଚାଲିଲା ଏବଂ ୧୩ ଲକ୍ଷ ୭୦ ହଜାର ଲୋକ ଉପକୃତ ହେଲେ। ସେହିଭଳି ନୟାଗଡର ୧୮୯ଟି ପଞ୍ଚାୟତରେ ୩୧ଟି ବସ୍ ଚାଲିଲା ଏବଂ ଏହା ଦ୍ୱାରା ୯ ଲକ୍ଷ ୩୪ ହଜାର ଲୋକ ଉପକୃତ ହେଲେ।
ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ବସ୍ ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ସେ ପୁଣି କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।