ହିଞ୍ଜିଳିରେ ନୂତନ ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :- ଗୃହ ବିଭାଗ ବିଜ୍ଞପ୍ତି ଅନୁସାରେ ହିଞ୍ଜିଳି ଥାନା ଅଧିନ ବେଲଗାଁରେ ସ୍ଥାପିତ ହେବାକୁ ଥିବା ବେଲଗାଁ ଫାଣ୍ଡିକୁ ଥାନାରେ ରୂପାନ୍ତରଣ କରାଯାଇଛିା । ବୁଧବାର ସନ୍ଧ୍ୟାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ନୂତନ ଥାନାର ଶୁଭ ଉଦଘାଟନ କରିଛନ୍ତି । ପୁଲିସ ଲୋକଙ୍କ ଅଧିକ ନିକଟତର ହେବା ସହ ଜନସାଧାରଣଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଜନସାଧାରଣଙ୍କୁ ହାତପାହାନ୍ତାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଉଦ୍ଦେଶ୍ୟରେ ବେଲଗାଁ ଠାରେ ନୂତନ ଥାନାର ଶୁଭ ଉଦଘାଟନ କରାଯାଇଛି ବୋଲି ଅତିଥି ଭାବେ ଯୋଗ ଦେଇଥିବା ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସରପଞ୍ଚ ଲକ୍ଷ୍ମୀ ସାହୁ,ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ ରାମହରି ଶର୍ମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଂଗ୍ରାମ କେଶରୀ ବେହେରା, ଆସିକା ଏସଡିପିଓ , ହିଞ୍ଜିଳି ଥାନା ଆଇଆଇସି ଶ୍ରୀନୀବାସ ସେଠି, ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ରଶ୍ମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।ବେଲଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ସ୍ମିତାଞ୍ଜଳି ପ୍ରଧାନ ବୁଧବାର କାର୍ଯ୍ୟଭରେ ଗ୍ରହଣ କରିଛନ୍ତି । ଉକ୍ତ ଥାନା ଅଧିନରେ ବେଲଗାଁ ପଞ୍ଚାୟତ ସମେତ ଗଣ୍ଡଳା, ଦୟାପଲ୍ଲୀ, ଦୁର୍ବନ୍ଧ, ଦାରୁଭଦ୍ରା, ସାହାପୁର, ଭାବନ୍ଧ, ପୁଟିଆପଦର, ଧୋବାଡି ଭଳି ୮ଟି ପଞ୍ଚାୟତ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବରୁ ସଂପୃକ୍ତ ପଞ୍ଚାୟତ ଗୁଡିକ ହିଞ୍ଜିଳି ଥାନା ଅଧିନରେ ରହିଥିଲା । ସଂପୃକ୍ତ ଥାନାରେ ଥାନା ଆଇଆଇସିଙ୍କ ସମେତ ୨ଜଣ ଏସଆଇ, ୨ଜଣ ଏଏସଆଇ ଓ ୨୪ ଜଣ କନେଷ୍ଟବଳ ଓ ଓଏପିଏଫ କର୍ମଚାରୀ କାର୍ଯ୍ୟରତ ରହିଛନ୍ତି । ବେଲଗାଁରେ ନୂତନ ଭାବେ ଥାନା ରୂପାନ୍ତରଣ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକାଶ ହୋଇଛନ୍ତି ।