ଟପ ମାଓ ନେତା ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ: କୋର୍ଟଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର

୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ସୁଡ୍ରା ଗ୍ରାମ ପଞ୍ଚାୟତର କେତେରଭଟ୍ଟା ଛକର ୪୧ ନଂ. ରାଜ୍ୟପଥ କଡ଼ରେ ଲାଗିଲା ମାଓ ପୋଷ୍ଟର୍ l ସିପିଆଇ ମାଓବାଦୀ କେକେବିଏନ୍‌ ପକ୍ଷରୁ ଲାଗିଛି ପୋଷ୍ଟର । ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଟପ୍‌ ମାଓନେତା ଦସ୍ରୁ ମୃତ୍ୟୁ ଖବର ମାଓ ସଙ୍ଗଠନ ଗ୍ରହଣ କରିପାରୁ ନାହିଁ, ବରଂ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ନେଇ ନିର୍ଯାତନା ଦେଇ ପଚରାଉଚରା କରୁଥିବା ଅଭିଯୋଗ ଆଣିଛି କେକେବିଏନ୍‌ ମାଓ ସଂଗଠନ । ତୁରନ୍ତ ପୋଲିସ ତାଙ୍କୁ ଇଣ୍ଟୋରୋଗେସନ୍‌ ବନ୍ଦ କରି ଆଇନ୍‌ ଅନୁଯାୟୀ ଦସ୍ରୁଙ୍କୁ କୋର୍ଟରେ ହାଜର କରନ୍ତୁ ବୋଲି ଚେତାବନୀ ଦେଇଛି ସିପିଆଇ ମାଓ ସଂଗଠନ । ଚଳିତ ମାସ ଫେବୃଆରୀ ୩ ତାରିଖ ସନ୍ଧ୍ୟା ୭ଟା ୩୦ ମି.ସମୟରେ କାମ୍ବେରକିଆ ଗାଁ ନିକଟରେ ଡିଭିଏଫ୍‌ ଓ ଏସ୍‌ଓଜିଙ୍କ ମିଳିତ ସର୍ଚ୍ଚ ଅପରେସନ୍‌ ଚାଲିଥିଲା । ଘନ ଅନ୍ଧକାରରେ ପୋଲିସ ଉପରକୁ ଗୁଳି ମାଡ଼ କରିବା ପରେ ପୋଲିସର ପାଲଟା ଗୁଳିରେ ମାଓବାଦୀଙ୍କ ଜଣେ କମାଣ୍ଡର ହାତରେ ଗୁଳି‌ ବାଜିଥିଲା । ଏହାପରେ ସେମାନେ ସେଠାରୁ ପଛଘୁଞ୍ଚା ଦେଇଥିଲେ । ପୋଲିସର ଘନ ଘନ ଗୁଳିମାଡ଼ରେ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏହି ଗୁଳି ବିନିମୟ ସମୟରେ ଜଣେ ଡିଭିଏଫ୍‌ ର ଜଣେ ଜବାନ ଙ୍କ ହାତରେ ମଧ୍ୟ ଗୁଳିବାଜି ଆହତ ହୋଇଥିଲେ । ଏହାପରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିଲା । ଯାହାକୁ ଚିହ୍ନଟ ବେଳେ ସେ କେକେବିଏନ୍‌ ଡିଭିଜନର ଡିସିଏମ୍‌ ତଥା ଟପ ମାଓ ନେତା ଦସ୍ରୁ ବୋଲି ପୋଲିସ କହିଥିଲା । ତାର ମୃତଦେହ ନିକଟରୁ ଗୋଟିଏ ୩୦୩ ରାଇଫଲ ସହ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ଦସ୍ରୁ ମୁଣ୍ଡରେ ଛତିଶଗଡ ସମେତ ଓଡିଶା ପୋଲିସ ପକ୍ଷରୁ ପୁରସ୍କାର‌ ମଧ୍ୟ ଘୋଷଣା ହୋଇଥିଲା । କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ କେସର ସେ ମୋଷ୍ଟୱାଣ୍ଟେଡ ରହିଛି । ଏକାଧିକ ନାଁରେ ପରିଚୟ ଦେଇ ସେ ବୁଲୁଥିଲା । କେକେବିଏନ୍‌ ଡିଭିଜନ ଦସ୍ରୁ ନେତୃତ୍ବରେ ବେଶ ସକ୍ରିୟ‌ ରହିଥିଲା ।ହେଲେ ଟପ୍‌ ମାଓନେତା ତଥା ମାଓ କମାଣ୍ଡର ଦସ୍ରୁଙ୍କ ମୃତ୍ୟୁକୁ ମାଓ ସଂଗଠନ ଗ୍ରହଣ କରି ପାରୁନି l ରାଜ୍ୟପଥ କଡ଼ରୁ ଜବତ ହୋଇଥିବା ପୋଷ୍ଟରରେ ଲେଖାଯାଇଛିଯେ, ଚଳିତ ମାସ ଫେବୃଆରୀ ୩ ତାରିଖ ସନ୍ଧ୍ୟାରେ ଆମ ପାର୍ଟିର କାମ ପାଇଁ ଦସରୁ କାମ୍ବେରକିଆ ଗାଁ ଯାଇଥିଲେ । ପୋଲିସ ମୁଖବୀର ସୂଚନା ପାଇ ଆସି ତାଙ୍କୁ ଧରିନେଇଛନ୍ତି । ହେଲେ ତାଙ୍କୁ ଏପର୍ଯ୍ୟନ୍ତ କୋର୍ଟରେ ହାଜର କରିନାହାନ୍ତି । ତାଙ୍କୁ କଣ୍ଟ୍ରୋଲ ରୁମ୍‌ରେ ରଖି ନିର୍ଯାତନା ଦେଇ ଇଣ୍ଟୋରୋଗେସନ୍‌ କରୁଛି ପୋଲିସ । ତାଙ୍କୁ ନିର୍ଯାତନା ଓ ଇଣ୍ଟୋରୋଗେସନ୍‌ ବନ୍ଦ କରି ତୁରନ୍ତ କୋର୍ଟରେ ହାଜର କରାଯାଉ । କୁମ୍ବିଂ ଅପରେସନ୍‌ ଦ୍ବାରା ଆମ ପାର୍ଟି କ୍ୟାଡରଙ୍କୁ ଆରେଷ୍ଟ କରିବା ଏବଂ ନିର୍ଦ୍ଦୋଷ ଗ୍ରାମୀଣଙ୍କୁ ନିର୍ଯାତନା ଦେବା ବନ୍ଦ କରାଯାଉ । ତେବେ କେକେବିଏନ୍‌ ମାଓ ସଂଗଠନର ଏହି ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।