ନେତାଜୀ ଏବଂ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ : ମୋବାଇଲଠାରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀ ମାନଙ୍କୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ପରାମର୍ଶ

୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଯାଜପୁର ରୋଡ :-> ଶିକ୍ଷା କ୍ଷେତ୍ରରେ ବର୍ତ୍ତମାନ ମୋବାଇଲର ଦୁରୁପଯୋଗ ପ୍ରତି ସତର୍କ ରହି ଯଥାସାଧ୍ୟ ଏହାଠାରୁ ଦୂରେଇ ରହିବାପାଇଁ ମାଧବାନନ୍ଦ ଫାଉଣ୍ଡେସନ ଏବଂ ଆରୟନ୍ ଇଞ୍ଜିନିୟରିଂ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିମଳକୁମାର ଷଡଙ୍ଗୀ କହିଛନ୍ତି। ଆଜି ପାଣିକୋଇଲି ନିକଟସ୍ଥ ଭୁବନେଶ୍ବରପୁରରେ ଥିବା ଶେଷଦେବ-ବାସନ୍ତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଏବଂ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମାଧବାନନ୍ଦ ଷଡଙ୍ଗୀଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଶ୍ରେଣୀ କକ୍ଷର ପାଠପଢାପ୍ରତି ମନଯୋଗୀ ହେଲେ ଛାତ୍ର ସମାଜର ଭବିଷ୍ୟତ ଉଜ୍ଜ୍ବଳ ହୋଇପାରିବ ।

ଅଧ୍ୟାପକ ଗୁରୁକୃଷ୍ଣ ଦାଶ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ମନୋଭାବ ଓ ମାନବବାଦର ଚେତନା ସୃଷ୍ଟି ଉପରେ ଗୁରୁତ୍ବ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ଜୀବନର କିଛି ଅନାଲୋଚିତ ପ୍ରସଙ୍ଗ ଆଲୋଚନା କରିଥିଲେ। ଶ୍ରୀ ସୁଧୀର କୁମାର ଜେନା ଛାତ୍ରଛାତ୍ରୀମାନେ ‘ବସୁଧୈବ କୁଟୁମ୍ବକମ୍’ ଆଦର୍ଶକୁ ଗ୍ରହଣ କରି ଜୀବନ ଶୈଳୀ ବଦଳାଇବା ଉଚିତ ବୋଲି ମତ ଦେଇଥିଲେ ।

ଶ୍ରୀ ସନ୍ତୋଷ କୁମାର ଜେନା ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନର ଗୁରୁତ୍ବ ଆଲୋଚନା କରିଥିଲେ । ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଶ୍ରୀ ସୁରେନ୍ଦ୍ର ରାୟ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସଫଳତା ଏବଂ ପୁର୍ବତନ ପ୍ରଧାନ ଶିକ୍ଷକ ମାଧବାନନ୍ଦ ଷଡଙ୍ଗୀଙ୍କର ଜୀବନ ଆଦର୍ଶ ବର୍ଣ୍ଣନା କରିଥିଲେ। ଆକାଶବାଣୀ ବାର୍ତ୍ତା ବିଭାଗର ପୂର୍ବତନ ଉପ ନିର୍ଦେଶକ ଶ୍ରୀ ସୁଧାଂଶୁ ଶେଖର ଧଡା ସମାଜରୁ ଅନ୍ଧବିଶ୍ବାସ ଦୂରୀକରଣ, ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି ,

ପ୍ରଶ୍ନ ପଚାରିବା ମନୋବୃତ୍ତି ସୃଷ୍ଟି ଆଦି ସମ୍ବଳିତ ଅଲୌକିକତା ଉନ୍ମୁଳନ କୌଶଳ ପ୍ରଦର୍ଶନ କରିଥିଲେ । ଆଲୋଚନା ଶେଷରେ ମାଧବାନନ୍ଦ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି
ଆଲୋଚନାଚକ୍ରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ .